ସ୍ବେଚ୍ଛାସେବୀ ସଂଗଠନର ସାହାଯ୍ୟ; ଅସହାୟ ପରିବାରକୁ ଆଶାର ଆଲୋକ

ବାଲିଆପାଳ : ବାପା ଛେଉଣ୍ଡ କଅଁଳ ଛୁଆ ଦିଟା । ଘରର ରୋଜଗାରିଆ ପୁଅ ଆରପାରିରେ । ପୁଅ ଚାଲିଗଲା ପରେ ଅସହାୟ ହୋଇଗଲେ ବୃଦ୍ଧ ବାପା ମାଆ । ସେପଟେ ସ୍ବାମୀକୁ ହରାଇ ଦୁଃଖରେ ପତ୍ନୀ ଭାଙ୍ଗିପଡିଥିବାବେଳେ ଦୁଇ ଦୁଇଟା କୁନି କୁନି ଝିଅଙ୍କ ମୁହଁକୁ ଚାହିଁ ଜୀବନ ବିତାଉଛନ୍ତି । ପାଖରେ ନା ଅଛି ସମ୍ବଳ ନା ଆତ୍ମନିର୍ଭରଶୀଳ ହେବାର ବଳ । ଭିକ୍ଷା ବୃତ୍ତି କରି ଯାହା ଆଣୁଛନ୍ତି ସେଥିରେ ଓଳିଏ ଖାଇଲେ ଓଳିଏ ଉପାସ । ସତରେ ଦୁଃଖ ଯେତେବେଳେ ଆସେ ସାଙ୍ଗରେ ବନ୍ଧୁବାନ୍ଧବଙ୍କୁ ଧରି ଆସେ ।
ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ମଧୁପୁରା ପଞ୍ଚାୟତର ଖଗଡାପାଳ ଗ୍ରାମରେ ବାସ କରନ୍ତି ପରମା ବିବି ଓ ତାଙ୍କ ପରିବାର । ଶାଶୁ, ଶ୍ବଶୁର, ସ୍ବାମୀ ଓ ଦୁଇ କୁନି କୁନି ଝିଅଙ୍କୁ ନେଇ ଅଭାବ ଭିତରେ ବେଶ୍ ହସ ଖୁସିରେ ଚଳୁଥିଲା ପରିବାର । ହେଲେ ଦଇବ ତାହା ସହିଲା ନାହିଁ । କିଛିଦିନି ପୂର୍ବେ ପରମା ବିବିଙ୍କ ସ୍ବାମୀ ସେକ୍ ରିୟାନ ମହମ୍ମଦଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା । ତା ପରେ ପରିବାରକୁ ଘୋଟି ଆସିଲା କଳା ବାଦଲର ଛାଇ । କେମିତି ପରିବାର ପ୍ରତିପୋଷଣ କରିବେ ପରମା । କଣ କରିବେ । ଗୋଟିଏ ପଟେ ବାର୍ଦ୍ଧକ୍ୟର ଅପରାନ୍ତରେ ବୃଦ୍ଧ ବାପା, ମାଆ ରହିଥିବାବେଳେ ଅନ୍ୟପଟେ ଦୁଇ କୁନି ଝିଅଙ୍କୁ ନେଇ କେମିତି ବଞ୍ଚିବେ ସେ ଚିନ୍ତାରେ ପରମା । ପେଟକୁ ମୁଠାଏ ଦାନା ପାଇଁ ପରାମା ବିବି ଦୁଇ କୁନି ଝିଅଙ୍କୁ ନେଇ ଭିକ୍ଷା ବୃତ୍ତି କରନ୍ତି । ଆଉ ଯାହା ମିଳେ ସେଥିରେ ପରିବାରର ପେଟ ପୋଷେ ।
ଏହି ଖବର ଜଣାପଡିବା ପରେ ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପ ଫର୍ ୟୁର ସଭାପତି ମାନସ ରଞ୍ଜନ ଧଳ ଅସହାୟ ପରିବାରକୁ ସହାୟତାର ହାତ ବଢାଇଛନ୍ତି । ସଂଗଠନ ପକ୍ଷରୁ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ପିଲାମାନଙ୍କର ପାଠପଢା ସାମଗ୍ରୀ, ରାସନ ସାମଗ୍ରୀ, ପନିପରିବା, ମୁଢ଼ି, ଚାଉଳ ଓ ପରିବାରର ସଦସ୍ୟଙ୍କ ପାଇଁ ନୂତନ ବସ୍ତ୍ର ପ୍ରଦାନ କରାଯାଇଛି ।
ରିପୋର୍ଟ : ବାଲିଆପାଳରୁ ଚନ୍ଦନ ଅଣ୍ଡିଆ