ବିଦ୍ୟାଳୟ ଗୃହ ତାଲା ଭାଙ୍ଗି ଚାଉଳ ଲୁଟିନେଲେ ଦୁବୃର୍ତ୍ତ

ହିନ୍ଦୋଳ : ସ୍କୁଲକୁ ବି ଛାଡିଲେନି । ଗ୍ରୀଷ୍ମ ଛୁଟି ପାଇଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଛି । ଏହାର ସୁଯୋଗ ନେଇ ବିଦ୍ୟାଳୟ ଗୃହ ତାଲା ଭାଙ୍ଗି କଳାକନା ବୁଲାଇଲେ ଦୁବୃର୍ତ୍ତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଲକ ମାଧପୁର ପଞ୍ଚାୟତ ଅନ୍ତର୍ଗତ ଭାନୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରୁ ସର୍ବସ୍ବ ଲୁଟ୍ ହୋଇଥିବା ନେଇ ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ମାନସ ମିଶ୍ର ।
ସୂଚନା ଅନୁସାରେ, ଗ୍ରୀଷ୍ମ ପ୍ରବାହ କାରଣରୁ ରାଜ୍ୟରେ ଏବେ ଜାରି ରହିଛି ଗ୍ରୀଷ୍ମ ଛୁଟି । ଭାନୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ବନ୍ଦ ରହିଛି । ତେବେ ବିଦ୍ୟାଳୟର କବାଟ ଖୋଲା ରହିଥିବା ନେଇ ଗାଁ ଲୋକ ଦେଖିବା ପରେ ଏ ବାବଦରେ ସେମାନେ ପ୍ରଧାନଶିକ୍ଷକ ଦାୟିତ୍ବରେ ଥିବା ମାନସ ମିଶ୍ରଙ୍କୁ ଫୋନ୍ ଯୋଗେ ଖବର ଦେଇଥିଲେ । ଖବର ପାଇ ପ୍ରଧାନ ଶିକ୍ଷକଙ୍କ ସମତେ ବିଦ୍ୟାଳୟର ଅନ୍ୟ ଜଣେ ସହକାରୀ ଶିକ୍ଷକ ଓ ପରିଟାଳନା କମିଟିର ସଦସ୍ୟ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ଅନକେ ବସ୍ତୁ ନ ଥିବା ଦେଖିଥିଲେ । ଏପରିକି ବିଦ୍ୟାଳୟର ରୋଷେଇ ଘର, କାର୍ଯ୍ୟାଳୟ ଗୃହ, ଶ୍ରେଣୀ ଗୃହ ତାଲା ଭଙ୍ଗା ଯାଇଥିବା ସହ ସ୍କୁଲର କେତେକ ସରଞ୍ଜାମ ଯଥା ରୋଷେଇ ସାମଗ୍ରୀ, ଚାଉଳ, ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବହୃତ କୋଭିଡ଼ ପରିକ୍ଷଣ ଯନ୍ତ୍ର ଲୁଟ୍ ହୋଇଥିବା ଜଣିବାକୁ ପାଇଥିଲେ । ଏ ନେଇ ପ୍ରଧାନ ଶିକ୍ଷକ ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ପୋଲିସ ପ୍ରାଥମିକ ତଦନ୍ତ କରି ଏକ ମାମଲା ରୁଜ୍ଜୁ କରିଛି ।

ଅପରପକ୍ଷେ ପାରିପାର୍ଶ୍ବିକ ସ୍ଥିତିରୁ ଦୁବୃର୍ତ୍ତ ଗାଁର କେହି ବ୍ୟକ୍ତି କିମ୍ବା ପାଖ ଗ୍ରାମର ହୋଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ବିଦ୍ୟାଳୟର ଚତୁଃପାର୍ଶ୍ବରେ ପାଚେରୀ ନ ଥିବାରୁ ବିଦ୍ୟାଳୟକୁ ଅନୁପ୍ରବେଶକାରୀ ପଶି ଖୁବ୍ ସହଜରେ ଏଭଳି କାଣ୍ଡ ରଚିଛନ୍ତି । ତେବେ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଦ୍ୟାଳୟରେ ପାଚରେୀ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ କୁମାର ବେହେରା, ହିନ୍ଦୋଳରୁ ସନାତନ ନାଥ