ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକାଳ ମାତ୍ର ୪ ଦିନ

ମାତ୍ର ୪ ଦିନ ପାଇଁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଚିସ୍ ରମେଶ ଡି. ଧାନୁକା । ଜଣେ ମୁଖ୍ୟ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ମାତ୍ର ୪ ଦିନ ହେଉଥିବାରୁ, ଦେଶର ଇତିହାସରେ ଏହା ପ୍ରଥମ ଘଟଣା । ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଆରଡି ଧାନୁକାଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ଆଜି ଜଷ୍ଟିସ ଧାନୁକା ଶପଥ ନେଇ କାର୍ଯ୍ୟଭାର ସମ୍ଭାଳିବା ସହ ଆସନ୍ତା ୩୦ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ ଅର୍ଥାତ୍ ସେ ଅବସର ନେବେ ।
ଜଷ୍ଟିସ ଧାନୁକା ୨୦୧୨ ମସିହା ଜାନୁଆରୀ ୨୩ରେ ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଥିଲେ । ଆସନ୍ତା ମେ’ ୩୦ ତାରିଖରେ ସେ ଅବସର ନେବେ । ଏପ୍ରିଲ ୧୯ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଜଷ୍ଟିସ ଧାନୁକାଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିସ କରିଥିଲେ ।