କଂଗ୍ରେସ ହାତେଇବ କି ଭୋଗରାଇ ?

ଭୋଗରାଇ ରାଜନୀତି ଏବେ କ୍ରମଶଃ ସରଳ ଓ ସହଜ ହେବାରେ ଲାଗିଛି । ନିଜର ଅବସ୍ଥିତି ଓ ଜନ ସମର୍ଥନକୁ ବିଚାର ନକରି ବହୁ ଆଶାୟୀ ସୃଷ୍ଟି ହୋଇଥିଲେ ମଧ୍ୟ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ବିଜେଡିରୁ ଗୌତମ ବୁଦ୍ଧ ଦାସ ଏବଂ ଡାକ୍ତର ସରୋଜ କୁମାର ଦାସ ମଜୁମଦାରଙ୍କ ନାମ ସର୍ବାଗ୍ରେ ରହିଛି । ଜଣେ ପାଣ୍ଡିଆନଙ୍କ ଗୁଡବୁକରେ ସ୍ଥାନ ସଂରକ୍ଷଣ କରିଥିବାବେଳେ ଅନ୍ୟ ଜଣେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସିଧାସଳଖ ସଂସ୍ପର୍ଶରେ ରହିଛନ୍ତି । ଜଣେ ପ୍ରଖର ରାଜନୈତିକ ଚିନ୍ତାଶୀଳ ବ୍ୟକ୍ତିତ୍ଵ ହୋଇଥିଲା ବେଳେ ଅନ୍ୟ ଜଣେ ସେବାକୁ ନିଜ ଜୀବନର ପ୍ରମୁଖ ଅଂଶ ଭାବେ ପ୍ରତିପାଦିତ କରିଥିବା ବ୍ୟକ୍ତିତ୍ବ । ସେହିପରି ତୃତୀୟ ସ୍ଥାନରେ ଥିବା ବିଜେପି ଦୀର୍ଘ ଦିନ ହେଲା ନେତୃତ୍ବ ସଙ୍କଟ ମଧ୍ୟରେ ଗତି କରୁଥିବାବେଳେ ଉଭୟ ସ୍ବାସ୍ଥ୍ୟ ସେବା ଓ ସମାଜସେବାରେ ନିଜର ଉତ୍କର୍ଷତା ପ୍ରତିପାଦନ କରିଥିବା ଅଖଣ୍ଡ ଭାରତ ହିନ୍ଦୁ ମହାସଭାର ରାଜ୍ୟ ସଭାପତି କୌଶିକ ଚାନ୍ଦ ଏବେ ଜିଲ୍ଲା ଓ ରାଜ୍ୟ ନେତୃତ୍ବଙ୍କ ପାଇଁ ଆଶାର ଆଲୋକ ସାଜିଥିବା ଦଳୀୟ ସୂତ୍ରରୁ ଜଣାପଡିଛି । ବିଜେପିର ଟିକେଟ ଦୌଡରେ କୌଶିକ ଚାନ୍ଦ ଆଗରେ ରହିଛନ୍ତି । ଏପଟେ ବିଜେପିର ପୂର୍ବରୁ ନେତୃତ୍ବ ନେଇଥିବା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ମାନସ ରଞ୍ଜନ ମହାନ୍ତି ଦଳକୁ ସଂଗଠିତ କରିବାରେ ଅକ୍ଷମ ହେବାରୁ ରେସରେ ପଛରେ ରହିଥିବା ଜଣାପଡିଛି ।
ଅନ୍ୟପକ୍ଷରେ ବାରମ୍ବାର ପରାଜୟର ସାମ୍ନା କରୁଥିବା କଂଗ୍ରେସ ଦଳ ଏବେ ଏକ ନିଶ୍ଚିତ ତଥା ଜୋରଦାର ଝଟକା ଦେବା ପାଇଁ ପ୍ରସ୍ତୁତି ହୋଇଥିବା ଜଣାପଡିଛି । ରାଜନୈତିକ ଜୀବନରେ କେବେ ବି ହାର ସ୍ବୀକାର କରିନଥିବା କୁମ୍ଭାରମୁଳି ପଞ୍ଚାୟତ ସମିତି ସଦସ୍ୟ ତଥା ବାଲେଶ୍ଵର -ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଆଶିଷ ପାତ୍ରଙ୍କ ଉପରେ ଦଳ ଫୋକସ୍ କରିଥିବା ଜଣାପଡିଛି । ସର୍ବଦା ଏକ ନିଆରା ଅନ୍ଦାଜରେ ରାଜନୈତିକ ପଶାପାଲିରେ ନିଜର ପତିଆରା ସୃଷ୍ଟି କରିଥିବା ଏବଂ ବାରମ୍ବାର ବିଜେଡି ଭୋଟକୁ ସଫଳତା ପୂର୍ବକ ହାତେଇ ନିର୍ବାଚନ ଜିତି ଆସିଥିବା ଆଶିଷ ପାତ୍ରଙ୍କୁ ଟିକେଟ ଦେବା ପାଇଁ ଭୋଗରାଇ କଂଗ୍ରେସର ଏକ ବିଶାଳ ଗୋଷ୍ଠୀ ସମେତ ଯୁବ ଗୋଷ୍ଠୀ ଦାବି କରୁଥିବାବେଳେ ବିଜେଡ଼ିର ଏକ ପ୍ରମୁଖ ଅଂଶ ଅର୍ଥାତ୍ ଭୋଟରମାନେ ତାଙ୍କ ସପକ୍ଷରେ ଭୋଟ ଦେବାକୁ ପ୍ରସ୍ତୁତ ହେଉଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି । ଜଣେ ସଫଳ ଜନ ପ୍ରତିନିଧି ଭାବେ ଦୀର୍ଘ ବର୍ଷର ଅଭିଜ୍ଞତା ଓ ଅନୁଭୁତିକୁ ପାଥେୟ କରି କଂଗ୍ରେସ ଭୋଗରାଇ ଦଖଲ ଯୋଜନା କରିବା ସ୍ବାଭାବିକ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ଆରମ୍ଭ ହୋଇଛି । ତେବେ ୨୦୨୪ ସାଧାରଣ ନିର୍ବାଚନରେ ଆଶିଷ ପାତ୍ରଙ୍କ ସଫଳତା ଓ ନେତୃତ୍ବର ଜଲଓ୍ବା ଦେଖିବା ପାଇଁ ଭୋଗରାଇବାସୀ ଉତ୍କଣ୍ଠାର ସହ ଚାହିଁ ବସିଥିବା ବେଳେ ଏହି ରେସରେ ପଛରେ ପଡିଯାଇଛନ୍ତି ଦୁଇ ଦୁଇଥର ପରାଜୟ ବରଣ କରିଥିବା ସତ୍ୟଶିବ ଦାସ ।
ରିପୋର୍ଟ : ବାଲେଶ୍ବରରୁ ରଞ୍ଜନ ଦେ