ନୂଆ ସଂସଦ ଭବନ ଉଦଘାଟନ ବିବାଦ । ଜନସ୍ୱାର୍ଥ ମାମଲା ଖାରଜ କଲେ ମାନ୍ୟବର ସୁପ୍ରିମକୋର୍ଟ

ନୂଆ ସଂସଦ ଭବନକୁ କିଏ ଉଦଘାଟନ କରିବେ ରାଷ୍ଟ୍ରପତି ନା ପ୍ରଧାନମନ୍ତ୍ରୀ । ଏହାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଥିବା ବେଳେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହି ଜନସ୍ୱାର୍ଥ ମାମଲାକୁ ଖାରଜ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଏଭଳି ମାମଲାର ବିଚାର କରିବା ସୁପ୍ରିମକୋର୍ଟଙ୍କ କାମ ନୁହେଁ ।

ନୂଆ ସଂସଦ ଭବନ ଉଦଘାଟନୀ ସମାରୋହକୁ ସ୍ମରଣୀୟ କରିବାକୁ ଶାସକ ଦଳ ଜୋରସୋରରେ ଲାଗି ପଡ଼ିଥିବା ବେଳେ ବିପକ୍ଷ ଦଳ ଏହା ବିରୋଧରେ ମେଳି କରୁଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଏହି ଭବନର ଉଦଘାଟନ କରିବେ ବୋଲି ସ୍ଥିର ହୋଇଥିବା ବେଳେ ବିପକ୍ଷ ଏହାକୁ ଜୋରଦାର ବିରୋଧ କରିବା ସହ ରାଷ୍ଟ୍ରପତି ଏହାର ଉଦଘାଟନ କରନ୍ତୁ ବୋଲି ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଏ ନେଇ ଲୋକସଭା ସଚିବାଳୟ ଏବଂ କେନ୍ଦ୍ର ସରକାଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ନିବେଦନ କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ଆଡଭୋକେଟ୍ ସି.ଆର ଜୟ ସୁକିନ୍ ଫାଇଲ୍ କରିଥିବା ଏହି ଆବେଦନରେ କୁହାଯାଇଛି ଯେ ଉଦଘାଟନ ଉତ୍ସବରେ ରାଷ୍ଟ୍ରପତିଙ୍କୁ ଅନ୍ତର୍ଭୁକ୍ତ ନ କରାଇ କେନ୍ଦ୍ର ସରକାର ଭାରତର ସମ୍ବିଧାନ ଉଲଂଘନ କରିଛନ୍ତି । ସଂସଦ ହେଉଛି ଭାରତର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା । ରାଷ୍ଟ୍ରପତି ଏବଂ ଦୁଇ ଗୃହ ଲୋକସଭା ଓ ରାଜ୍ୟସଭାକୁ ନେଇ ସଂସଦ ଗଠିତ । ସଂସଦ ବା ଲୋକସଭା ଭାଙ୍ଗିବାର କ୍ଷମତା ରାଷ୍ଟ୍ରପତିଙ୍କର ଅଛି ବୋଲି ଉକ୍ତ ପିଟିସନରେ ଉଲ୍ଲେଖ କରାଯାଇଛି ।
ଆସନ୍ତା ମେ ୨୮ ରେ ପ୍ରଧାନମନ୍ତ୍ରୀ ୪ ତାଲାବିଶିଷ୍ଟ ନୂଆ ସଂସଦ ଭବନର ଉଦଘାଟନ କରିବେ । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଆମନ୍ତ୍ରଣକ୍ରମେ ମୋଦୀ ଉଦଘାଟନ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ସରକାରର ମୁଖ୍ୟ ହୋଇଥିବା ବେଳେ ରାଷ୍ଟ୍ରପତି ଦେଶର ମୁଖ୍ୟ ଅଟନ୍ତି । ତେଣୁ, ରାଷ୍ଟ୍ରପତି ନୂତନ ସଂସଦ ଭବନ ଉଦଘାଟନ କରିବା ଉଚିତ ବୋଲି ବିରୋଧୀ ଦଳମାନେ ଯୁକ୍ତି ବାଢ଼ିଛନ୍ତି ।
ଅପରପକ୍ଷେ ନୂଆ ସଂସଦ ଭବନ ଉଦଘାଟନ ସମାରୋହକୁ ବହିଷ୍କାର କରୁଥିବା ପାର୍ଟି ସଂଖ୍ୟା ୨୧ରେ ପହଞ୍ଚିଲାଣି । ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ନୂଆ ସଂସଦ ଭବନର ଉଦଘାଟନ ଉତ୍ସବକୁ ଟିଏମ୍ସି, ଆପ୍ ପରି ରାଜନୈତିକ ଦଳ ବୟକଟ କରିବେ ବୋଲି ଘୋଷଣା କରି ସାରିଛନ୍ତି ।
ରିପୋର୍ଟ ମୁତାବକ, ନୂଆ ବିଲଡିଂର ଉଦଘାଟନୀ ସମାରୋହକୁ କେନ୍ଦ୍ର ସରକାର ସମସ୍ତ ରାଜନୈତିକ ଦଳ ନିକଟକୁ ନିମନ୍ତ୍ରଣ ପତ୍ର ପଠାଇଥିବା ବେଳେ ଏହାକୁ ୨୫ଟି ରାଜନୈତିକ ଦଳ ସ୍ୱୀକାର କରିଛନ୍ତି ।