ଫଳକ ମୋହରେ ବାୟା… ଆଗ ବିଧାୟକ ନା ଆଗ ସାଂସଦ ?

କୋରାପୁଟ : ଉଦଘାଟନ ପୂର୍ବରୁ ଭାଙ୍ଗିଲା ନାମଫଳକ । ଏପଟେ ପ୍ରତିବାଦରେ ବିଧାୟକଙ୍କ ଗାଡିକୁ ଅଣ୍ଡା ମାଡ । ଘଟଣାରେ ଥାନାରେ ଅଟକ ରହିଲେ କଂଗ୍ରେସ କର୍ମୀ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ନୂତନ ପଞ୍ଚାୟତ ସମିତି ଗୃହ ଉଦଘାଟନ କାର୍ଯ୍ୟକ୍ରମ ପୂର୍ବରୁ ଦେଖିବାକୁ ମିଳିଛି ଏହି ହାଇଡ୍ରାମା । ଏମପି ଆଗ ନା ଏମ୍ଏଲ୍ଏ ଆଗ ତାକୁ ନେଇ ଦେଖିବାକୁ ମିଳିଛି ରାଜନୈତିକ ତାତି ।
ସୂଚନା ଅନୁସାରେ ନୂତନ ପଞ୍ଚାୟତ ଗୃହ ନାମ ଫଳକରେ କଂଗ୍ରେସ ସାଂସଦ ସପ୍ତଗିରି ଉଲକା ଓ ଜିଲ୍ଲା ପପରିଷଦଙ୍କ ନାମ ନଥିବାକୁ ନେଇ ଏକ ବିବାଦର ସୂତ୍ର ପାତ ହୋଇଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷଙ୍କ ନିମନ୍ତ୍ରଣ ରଖି ପଞ୍ଚାୟତ ସମିତିର ଉଦଘାଟନ କରିବାକୁ ପହଞ୍ଚିଥିଲେ ବିଧାୟକ ରଘୁରାମ ପଡାଲ । ଲମତାପୁଟ ଛକରେ ପହଞ୍ଚିବା ପରେ କିଛି ଦୁବୃର୍ତ୍ତ ବିଧାୟକଙ୍କ ଗାଡ଼ିକୁ ଅଣ୍ଡା ମାଡ କରିଥିଲେ ।

ଏପଟେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ଲାଗିଥିବା ଫଳକକୁ ଭାଙ୍ଗି ଦେବା ସହ ଏ ସଂକ୍ରାନ୍ତରେ ଲମତାପୁଟ ପୋଲିସ ଜିଲ୍ଲା ପରିଷଦ ପୂର୍ଣ୍ଣ ପାଙ୍ଗିଙ୍କ ସହ ଅନେକ କଂଗ୍ରେସ କର୍ମୀଙ୍କୁ ଅଟକ ରଖି ପଚରା ଉଚରା କରିଥିବା ଜଣାପଡିଛି ।

ପରେ ଫଳକକୁ ନୂତନ ଭାବେ ପ୍ରସ୍ତୁତି କରାଯାଇ ବିଧାୟକଙ୍କ ଦ୍ଵାରା ପଞ୍ଚାୟତ ସମିତି ଗୃହ ଉଦଘାଟନ କରାଯାଇଥିବାବେଳେ ରାଜନୈତିକ ଉଷ୍ମତାକୁ ଅନୁଧ୍ୟାନ କରି ବ୍ଲକରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଏସଡିପିଓ ସଞ୍ଜୟ କୁମାର ମହପାତ୍ର ।
ରାଜ୍ୟରେ ଫଳକ ଉନ୍ମୋଚନକୁ ନେଇ ବାରମ୍ବାର ଏଭଳି ଘଟଣା ଘଟୁଥିବାବେଳେ ବିଜେଡି ଦଳକୁ ଫଳକ ଲୋଭ ମୋହଗ୍ରସ୍ତ କରିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।
ରିପୋର୍ଟ : କୋରାପୁଟରୁ ସୁନୀଲ ଦାଶ