ରିସ୍ତା କମ୍ପାନୀକୁ ବଦନାମ କଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ରିସ୍ତା ଡେଭେଲପମେଣ୍ଟ ଫାଇନାନ୍ସ ଚାକିରୀ ନାମରେ ଯୁବତୀମାନଙ୍କଠାରୁ ଅର୍ଥ ହଡପ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ସଦର ମହକୁମା ସ୍ଥିତ ଦୁର୍ଗା ବଜାରରେ ଥିବା ରିସ୍ତା ଡେଭେଲପମେଣ୍ଟ ଫାଇନାନ୍ସ ପକ୍ଷରୁ ଅଫିସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ରିସ୍ତାର ଏରିଆ ଜୋନାଲ ମ୍ୟାନେଜର ଆଶିଷ ପୃଷ୍ଟି ଓ ସିନିୟର ଡେଭେଲପମେଣ୍ଟ ଅଫିସର ଡି ଆଦିତ୍ୟ ନାରାୟଣ ଉପସ୍ଥିତ ରହି ଅଭିଯୋଗର ସ୍ପଷ୍ଟୀକରଣ ଦେଇଛନ୍ତି । କମ୍ପାନୀର ନିୟମ ଅନୁସାରେ ସିକ୍ୟୁରିଟି ଡିପୋଜିଟ ରଖାଯାଇ ସେମାନଙ୍କୁ ନିଯୁକ୍ତି ଦିଆଯାଇଛି । ଟର୍ମ ଓ କଣ୍ଡିସନ ଅନୁସାରେ ଆରପିମାନେ ପ୍ରତି ପଞ୍ଚାୟତରେ ମହିଳା ଗ୍ରୁପ ତିଆରି କରିବା ସହ ସେମାନଙ୍କୁ ଲୋନ ଦେବା ଓ ସଠିକ ଭାବରେ କିସ୍ତି ଆଦାୟ କରି କମ୍ପାନୀକୁ ଦେବା ପରେ ସେମାନେ ଦରମା ପାଇବାକୁ ଯୋଗ୍ୟ ବିବେଚିତ ହେବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏପରିକି କେତେକ ଆରପି କାମ ନକରି ଦରମା ଡିମାଣ୍ଡ କରି ଅଯଥା କମ୍ପାନୀକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଛି କମ୍ପାନୀ । ତେବେ କମ୍ପାନୀକୁ ବଦନାମ କରୁଥିବା ଲୋକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମ୍ପାନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ