ଭୁବନେଶ୍ବର ସୁରକ୍ଷା ଏବେ, ଅଣ୍ଡର ଡ୍ରୋନ କ୍ୟାମେରା

ଏଣିକି ଡ୍ରୋନ ପେଟ୍ରୋଲିଂ ବଳୟ ଭିତରେ ସୁରକ୍ଷିତ ରହିବ ରାଜଧାନୀ । ଆକାଶ ମାର୍ଗରୁ ଡ୍ରୋନ ଉଡ଼ାଇ ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗାଡ଼ିର ଗତିବିଧି ଉପରେ ନଜର ରଖିବ କମିଶନରେଟ୍ ପୋଲିସ । ହାଇ ଡେଫିନେସନ କ୍ଲାରିଟି ଥିବାରୁ ଏରିଆଲ ଭ୍ୟୁ ପାଇଁ ଏହାକୁ ବ୍ୟବହାର କରାଯିବ । ଭିଆଇପି ପ୍ରୋଗ୍ରାମ, ଆସେମ୍ଲି ଓ ଲ’ଆଣ୍ଡ ଅର୍ଡର, ହକି, ଫୁଟବଲ ଭଳି କାର୍ଯ୍ୟକ୍ରମ ସମୟରେ ଏହି ଡ୍ରୋନ୍ ବେଶ ସହାୟକ ହେବ । ଏପରିକି ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ଡ୍ରୋନ ପେଟ୍ରୋଲିଂର ବ୍ୟବହାର କରାଯାଇପାରିବ ।
ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ରାଜଧାନୀରେ ଅପରାଧ ଓ ଅପରାଧୀଙ୍କ ଉପରେ ନଜର ରଖିବ କମିଶନରେଟ ପୋଲିସ । ରାଜଧାନୀରେ ହେଉଥିବା ପର୍ବପର୍ବାଣୀ, ରାଲି, ଆନ୍ଦୋଳନ, ଭିଭିଆଇପି କାର୍ଯ୍ୟକ୍ରମ ଓ ଅନ୍ତର୍ଜାତୀୟ ଇଭେଣ୍ଟ ବେଳେ ଏହି ଡ୍ରୋନ ଦ୍ୱାରା ନଜର ରଖାଯିବ । ବର୍ତ୍ତମାନ କମିଶନରେଟ ପୋଲିସ ଗୋଟିଏ ଡ୍ରୋନ ବ୍ୟବହାର କରୁଛି ।
ଯଦି ଆବଶ୍ୟକ ପଡ଼େ ଆହୁରି ଆଣିବା ପାଇଁ ବ୍ୟବସ୍ଥା କରାଯିବ । ଏଥିପାଇଁ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଉଛି । ଆଗାମୀ ୨୦୨୪ ନିର୍ବାଚନ ସମୟରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।
ଏହି ଡ୍ରୋନରେ ନାଇଟ ଭିଜନ ପ୍ରୁଫ ରହିଛି । ଏହି କ୍ୟାମେରା ୫ଶହ ମିଟର ହାଇଟ ସମେତ ୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ସମସ୍ତ ଫୁଟେଜ୍ କଭର କରିବ ।