ବିଜେଡିର କାଉନସିଲର । ତେଣୁ ସମସ୍ତେ ଡରିବା ଆବଶ୍ୟକ !

ହିନ୍ଦୋଳ : ହିନ୍ଦୋଳର ୧୫ ନମ୍ବର ୱାର୍ଡ କାଉନସିଲରଙ୍କ କଡା ଧମକ । ଫୋନରେ ଫୋନରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଦେଉଛନ୍ତି କାଉନସିଲର ମ୍ୟାଡମ୍ । “ମୁଁ ବି ଚାଲାକ । କିଏ ଖବର ପ୍ରସାରଣ କରିଛି ତା ନାମ କୁହ । ମୋ ଘର କାମ ହେବ, ସେଥିପାଇଁ ମୁଁ ଘରେ ଇଟା ତିଆରି କରୁଛି । ଏଥିରେ କାହାର କ’ଣ ଯାଉଛି । ମୁଁ ରାଜନୀତିରେ ଅଛି । ବେଶି ହେଲେ କଥା ଖରାପ ହେବ” ।

ବେଆଇନ ନାଲି ଇଟା ଭାଟି ହୋଇଥିବା ଖବର ପାଇ ତହସିଲ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିଲା । ଆଉ ତହସିଲଦାରଙ୍କୁ ତାଙ୍କ ଗୁମର କଥା କିଏ କହିଲା ବୋଲି ଏବେ ଚିହିଁକି ଉଠିଛନ୍ତି କାଉନସିଲର ଅନୁପମା ସାହୁ । ନିକଟରେ ହୋଇଥିବା ହିନ୍ଦୋଳ ଏନ୍ଏସି ନିର୍ବାଚନରେ ୧୫ ନମ୍ବର ୱାର୍ଡରୁ ବିଜେତା ହୋଇଥିଲେ ବିଜେଡି ପ୍ରାର୍ଥୀ ହୋଇଥିବା ଅନୁପମା ସାହୁ । ଆଉ ହାରି ଭିତରେ କିଛି ଦିନ ପଦ ସମ୍ଭାଳିବା ଆରମ୍ଭ କରୁ କରୁ ଏବେ ରୁବାବ୍ ଝାଡୁଛନ୍ତି ଅନୁପମା ।

ନବ ନିର୍ବାଚିତ କାଉନସିଲର ଅନୁପମା ସାହୁଙ୍କ ସ୍ବାମୀ ବେଆଇନ ମାଟି ଇଟା କରି ବେପାର କରୁଥିବା ଘଟଣା ଗଣମାଧ୍ୟମରେ ପ୍ରସାରଣ ହେବା ପରେ ହିନ୍ଦୋଳ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଇଟା ଭାଟି ଗାଡ଼ିକୁ ଜବତ କରିଥିଲେ । ତେବେ ତାଙ୍କ ଭିତିରି ଗୁମର ବାବଦରେ କିଏ ଖବର ପ୍ରସାରଣ କଲା ତାକୁ ନେଇ ଏବେ ମ୍ୟାଡମ୍ ରକ୍ତ ଚାଉଳ ଚୋବାଉଛନ୍ତି ।

ଅପରପକ୍ଷେ ଅନୁପମା ବିଜେଡିରୁ ପ୍ରାର୍ଥୀ ହୋଇଥିବାରୁ ଅନେକ ସମୟରେ ବିଭିନ୍ନ କାମ ପାଇଁ ୱାର୍ଡବାସୀଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏପରିକି ଅନୁପମା ଦଳର ବରିଷ୍ଠ ନେତା-ମନ୍ତ୍ରୀଙ୍କ ସହ ଜଡିତ ଏବଂ ସେ ଏହାର ଫାଇଦା ନେଇ କିଛି ବି କରିପାରିବେ ବୋଲି ଧମକାଉଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଯାହାକୁ ନେଇ ହିନ୍ଦୋଳରେ ଜନସାଧାରଣ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ପ୍ରଶାସନ ଏବଂ ଦଳ ପକ୍ଷରୁ ଅନୁପମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି କି ନାହିଁ ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ କୁମାର ବେହେରା ଓ ହିନ୍ଦୋଳରୁ ସନାତନ ନାଥ