ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ଛାତ୍ରୀଙ୍କ ପାସ୍ ହାର ୯୭.୦୫%

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଫଳ ଘୋଷଣା କରିଛନ୍ତି । ଏଥର ପାସ୍ ହାର ୯୬.୪% ରହିଥିବାବେଳେ ଛାତ୍ରୀ ବାଜିମାତ କରିଛନ୍ତି ।
ଚଳିତ ବର୍ଷ ମୋଟ ୫ ଲକ୍ଷ ୨୭ ହଜାର ୩୭୪ ଜଣ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୮୬ ଜଣଙ୍କୁ ଏମ୍ପି କରାଯାଇଥିବା ବେଳେ ୫ ଲକ୍ଷ ୮ ହଜାର ୪୦୪ ଜଣ ପାସ୍ କରିଛନ୍ତି ।
ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧୫୮ ଜଣ A1 ଗ୍ରେଡରେ ପାସ୍ କରିଥିବା ବେଳେ ୨୯ ହଜାର ୮୩୮ ଜଣ A2, ୭୭ ହଜାର ୫୬୭ ଜଣ B1, ୧ଲକ୍ଷ ୧୮ ହଜାର ୭୫୦ ଜଣ B2, ୧ ଲକ୍ଷ ୨୧ ହଜାର ୬୧୧ ଜଣ C, ୯୫ ହଜାର ୬ ଜଣ D, ୬୧ ହଜାର ୪୭୪ ଜଣ E ଓ ୭୬୪୫ ଜଣ F ଗ୍ରେଡରେ ପାସ୍ କରିଛନ୍ତି।
ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୫.୭୫% ରହିଛି ।୨ ଲକ୍ଷ ୫୭ ହଜାର ୧୦୬ ଜଣ ଛାତ୍ରୀ ପାସ୍ କରିଥିବା ବେଳେ ୨ ଲକ୍ଷ ୫୧ ହଜାର ୨୯୮ ଜଣ ଛାତ୍ର ପାସ୍ କରିଛନ୍ତି । ଚଳିତଥର ୩,୨୨୨ ସ୍କୁଲ ଶତପ୍ରତିଶତ ରେଜଲ୍ଟ କରିଛି।
ତେବେ ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇପାରି ନଥିବା ବେଳେ ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।