ଓଡିଶାରୁ ପ୍ରଥମ ଥର ପାଇଁ ପୁରୀରୁ ହାୱଡ଼ା ଅଭିମୁଖେ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ । ଗତ ୯ ବର୍ଷରେ ଓଡ଼ିଶାରେ ରେଳର ବିକାଶ ହେଇଛି କହିଲେ ମୋଦି ।

ଓଡିଶାରୁ ପ୍ରଥମ ଥର ପାଇଁ ପୁରୀରୁ ହାୱଡ଼ା ଅଭିମୁଖେ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ । ନୂଆଦିଲ୍ଲୀରୁ ଭର୍ଚୁଆଲରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ଓଡ଼ିଶାରେ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ।
ଏହି ଅବସରରେ ପୁରୀ ଷ୍ଟେସନରେ ରାଜ୍ୟପାଳ ଗଣେଶୀ ଲାଲ, ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଭର୍ଚୁଆଲ ମୋଡରେ ଯୋଡ଼ି ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ପୁରୀ ସାଂସଦ ଓ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଟ୍ରେନ୍ ପାଖାପାଖି ୫୦୦ କିଲୋମିଟରର ଦୂରତାକୁ ସାଢ଼େ ୬ ଘଂଟାରେ ଅତିକ୍ରମ କରିବ । ବନ୍ଦେ ଭାରତ ଏକ୍ସପ୍ରେସ ପରୀକ୍ଷାମୂଳକ ଭାବେ ଏପ୍ରିଲ୍ ୨୮ ତାରିଖରେ ଯାତ୍ରା କରିଥିଲା । ସାଧାରଣ ଟ୍ରେନ୍ ତୁଳନାରେ ଏହା ବେଶ୍ ଆରାମଦାୟକ ହୋଇଥିବାବେଳେ ଟ୍ରେନର ସବୁ କୋଚ୍ ଏସି ଅଟେ । ଟ୍ରେନରେ ଜିପିଏସ୍ ଓ ଫାୟାର୍ ସେନ୍ସର ସହିତ ୱାଇଫାଇ ସୁବିଧା ମଧ୍ୟ ଉପଲବ୍ଧ ରହିଛି ।
ବନ୍ଦେ ଭାରତ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ବିଗତ ୯ ବର୍ଷରେ ଓଡ଼ିଶାରେ ହୋଇଥିବା ରେଳର ବିକାଶ ବାବଦରେ ମତ ରଖିଥିଲେ । ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଦାବି କରିଥିଲେ । ପୁରୀରୁ ରାଉରକେଲା ଓ ଭୁବନେଶ୍ୱରରୁ ହାଇଦ୍ରାବାଦକୁ ବନ୍ଦେ ଭାରତ ଏକ୍ସପ୍ରେସ ଚଲାଇବା ପାଇଁ ସେ ଦାବି କରିଥିଲେ ।
ବନ୍ଦେ ଭାରତ ଏକ୍ସପ୍ରେସ କେବଳ ଗୁରୁବାରକୁ ଛାଡ଼ି ସପ୍ତାହର ଅନ୍ୟ ସବୁ ଦିନ ଚାଲିବ । ପୁରୀରୁ ଏହି ଟ୍ରେନ୍ ଦିନ ୧ଟା ୫୦ରେ ଛାଡ଼ିବ ଓ ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ। ସେହିଭଳି ହାୱଡ଼ାରୁ ସକାଳ ୬ଟା ୧୦ରେ ବାହାରି ୧୨ଟା ୩୫ରେ ପୁରୀରେ ପହଞ୍ଚିବ ।