କାଲି ଟ୍ରାକରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍

ପୁରୀ : ଆସନ୍ତାକାଲିଠାରୁ ଅର୍ଥାତ୍ ଚଳିତ ମେ ମାସ ୧୮ରୁ ପୁରୀରୁ ହାୱଡା ଅଭିମୁଖେ ଗଡ଼ିବ ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ୍ । ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥିଲାଗି ପୁରୀ ରେଳ ଷ୍ଟେସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ରେଳ ଟ୍ରାକକୁ ରଙ୍ଗ କରାଯାଉଛି । ବନ୍ଦେ ଭାରତ ଶୁଭାରମ୍ଭ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଓଡ଼ିଶାର ଅନ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁଙ୍କ ସହ ପୁରୀ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ ।
ବନ୍ଦେ ଭାରତ ଏକ୍ସପ୍ରେସ ସପ୍ତାହରେ ୬ ଦିନ ଚାଲିବ । ରେଲୱେ କର୍ତ୍ତୁପକ୍ଷଙ୍କ ସୂଚନା ଅନୁସାରେ ପୁରୀରୁ ଏହି ଟ୍ରେନ୍ ଦିନ ଗୋଟାଏ ୫୦ରେ ଛାଡ଼ିବ ଓ ସେହି ଦିନ ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ । ସେହିଭଳି ହାୱଡ଼ାରୁ ସକାଳ ୬ଟା ୧୦ରେ ବାହାରି ୧୨ଟା ୩୫ରେ ପୁରୀରେ ପହଞ୍ଚିବ । ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ, ଯାଜପୁର ରୋଡ୍, ଭଦ୍ରକ, ବାଲେଶ୍ବର, ଖଡ଼ଗପୁର ଷ୍ଟେସନରେ ୨ ମିନିଟ ଲେଖାଏଁ ଏହି ଟ୍ରେନ୍ ରହିବ । ବନ୍ଦେ ଭାରତ ଟ୍ରେନ୍ ଚଳାଚଳକୁ ନେଇ ଯାତ୍ରୀ ବେଶ ଉତ୍ସାହୀ ଥିବା ବେଳେ ଏହା ଲୋକଙ୍କ ଯାତ୍ରା ସମୟକୁ ଢେର କମାଇବ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।
ଚେନ୍ନାଇ ପେରାମ୍ବୁର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମତ ଏହି ବନ୍ଦେ ଭାରତ ଏକ୍ସପ୍ରେସରେ ରହିଛି ୧୬ଟି କୋଚ୍ । ଘଣ୍ଟାପ୍ରତି ବେଗ ୧୮୦ କିମି ରହୁଥିବାରୁ ହାୱଡାରୁ ପୁରୀ ରେଳଯାତ୍ରା ସମୟ ୨ ଘଣ୍ଟା କମିଯିବ । ଅପରପକ୍ଷେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଅଟୋମେଟେଡ୍ କ୍ଲୋଜିଂ ଡୋର୍ କାରଣରୁ ଟ୍ରେନ୍ ଚାଲୁଥିବା ଯାଏଁ ଡୋର୍ ଖୋଲିବ ନାହିଁ କିମ୍ବା ବନ୍ଦ ନ ହେବା ଯାଏଁ ଟ୍ରେନ୍ ଚାଲିବ ନାହିଁ । ପ୍ରତି କୋଚ୍ରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ଡୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି ।
ଏହାବାଦ୍ ସବୁ ଶ୍ରେଣୀର ଯାତ୍ରୀଙ୍କ ପାଇଁ ରିକ୍ଲାଇନର ସିଟ୍ ବ୍ୟବସ୍ଥା ଥିବାବେଳେ ଏକ୍ଜିକ୍ୟୁଟିଭ୍ ଶ୍ରେଣୀ ପାଇଁ ୧୮୦ ଡିଗ୍ରୀ ବୁଲିପାରୁଥିବା ସିଟ୍ ରହିଛି । ତା ସହିତ ଟ୍ରେନ୍ରେ ବାୟୋ ଭାକ୍ୟୁମ୍ ଟଏଲେଟ୍ ରହିଛି ।
ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୮ ଓ ମେ’ ୭ ତାରିଖରେ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର ଦୁଇ ଦୁଇ ଥର ସଫଳ ଟ୍ରାଏଲ ରନ୍ ହୋଇସାରିଛି ।