ପ୍ରଳୟ ରଚିଲା ବାତ୍ୟା ‘ମୋଚା’…

ଭୟଙ୍କର ରୂପ ଧାରଣ କରିଛି ସାମୁଦ୍ରିକ ଝଡ଼ ‘ମୋଚା’ । ଅତି ଭୀଷଣ ବାତ୍ୟାର ରୂପ ନେଇ ମୋଚା ମିଆଁମାର ଓ ବାଂଲାଦେଶ ସୀମାରେ ତାଣ୍ଡବ ରଚିଛି ।ବର୍ତ୍ତମାନ ବାତ୍ୟା ମୋଚା ପ୍ରଭାବରେ ବାଂଲାଦେଶ ଓ ମିଆଁମାର ସୀମାରେ ଘଣ୍ଟା ପ୍ରତି ୧୯୦ରୁ ୨୦୦ କିମି ବେଗରେ ପବନ ବହିବାରେ ଲାଗିଛି । ବେଳେବେଳେ ପବନର ବେଗ ୨୨୦ ମଧ୍ୟ ଛୁଇଁଥିବା ରିପୋର୍ଟ ପ୍ରକାଶ ପାଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମିଆଁମାରରେ ପାଖାପାଖି ୬ ଜଣଙ୍କ ଜୀବନ ଯାଇଛି ।
ଗତ ଦୁଇ ଦଶନ୍ଧିରେ ଆସିଥିବା ବାତ୍ୟା ମଧ୍ୟରେ ଏହା ସବୁଠାରୁ ଶକ୍ତିଶାଳୀ ଓ ଭୟଙ୍କର ବୋଲି ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରବଳ ବର୍ଷା ଓ ଝଡ଼ ପବନ ଯୋଗୁଁ ଦୁନିଆର ସବୁଠୁ ବଡ଼ ଶରଣାର୍ଥୀ କ୍ୟାମ୍ପ ମଧ୍ୟରୁ ପ୍ରାୟ ୫୦୦ ରୋହିଙ୍ଗ୍ୟା କ୍ୟାମ୍ପ ନଷ୍ଟ ହୋଇଯାଇଛି । କେତେକ ସ୍ଥାନରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଦେଖାଦେଇଛି । ବାତ୍ୟା ଯୋଗୁଁ ୨୦ ଲକ୍ଷ ଲୋକ ପ୍ରଭାବିତ ଆଶଙ୍କା ରହିଛି । ବାଂଲାଦେଶର କକ୍ସବଜାର ଓ ମିଆଁମାରର କୟାଉକପୟୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି।
ବର୍ଷା ଓ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଗ୍ୟାସ ଷ୍ଟେସନକୁ ବନ୍ଦ କରାଯାଇଥିଲା । ଏଥିଯୋଗୁଁ ଗ୍ୟାସ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି ।