ଝାରସୁଗୁଡାର ବିକାଶ ଏବଂ ବାପାଙ୍କ ସ୍ବପ୍ନ ସର୍ବଦା ଆଗରେ ରହିବ: ନୂଆ ବିଧାୟିକା ଦୀପାଳି ଦାସ ।

ଝାରସୁଗୁଡାର ନୂଆ ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ । ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ଉପ-ବାଚସ୍ପତି ରଜନୀକାନ୍ତ ସିଂ ଦୀପାଳିଙ୍କୁ ବିଧାୟିକା ଭାବେ ଶପଥପାଠ କରାଇଛନ୍ତି । ଦୀପାଳିଙ୍କ ଶପଥ ଉତ୍ସବରେ ତାଙ୍କ ମା’ ଓ ଭାଇ ଉପସ୍ଥିତ ରହିଛନ୍ତି । ଏହା ସହ ଗୃହରେ ବିଜେଡିର ବରିଷ୍ଠ ନେତାବୃନ୍ଦ ମଧ୍ୟ ଉପସ୍ଥିତ ରହିଛନ୍ତି ।
ଝାରସୁଗୁଡା ଉପ-ନିର୍ବାଚନରେ ଦୀପାଳି ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୭୨୧ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ବିଜେଡିର ଏହି ବୃହତ ବିଜୟ ନୂଆ ରେକର୍ଡ ସୃଷ୍ଟି କରିଛି । ଏଥିସହ ଦୀପାଳି ବାପା ନବ ଦାସଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ବିଜୟ ବ୍ୟବଧାନରେ ବାପାଙ୍କଠାରୁ ପାଦେ ଆଗକୁ ଯାଇଛନ୍ତି ଦୀପାଳି । ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଜିତିଥିଲେ । ହେଲେ ଏଥର ନବ ଦାସଙ୍କ ମୃତ୍ୟୁ ପରେ ହୋଇଥିବା ଉପନିର୍ବଚନରେ ତାଙ୍କ ଝିଅ ଦୀପାଳି ୪୮ହଜାର ୭୨୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
ବିଧାୟିକା ଭାବେ ଇଶ୍ୱରଙ୍କ ନାଁରେ ଶପଥ ନେବା ପରେ ଦୀପାଳି କହିଛନ୍ତି, ସାମ୍ବିଧାନିକ ନୀତି ନିୟମ ଅନୁଯାୟୀ ଶପଥ ନେଇଛି । ସର୍ବଦା ଝାରସୁଗୁଡାବାସୀଙ୍କ ସେବା କରିବି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦଳ ପାଇଁ ନିଷ୍ଠାର ସହ କାମ କରିବି । ବାପାଙ୍କ ବିକାଶମୂଳକ ସ୍ୱପ୍ନକୁ ପୂରା କରିବା ସହ ତାଙ୍କର ନାଁ ରଖିବି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମୋ ବାପା ସବୁବେଳେ ଝାରସୁଗୁଡାର ବିକାଶ ପାଇଁ କାମ କରି ଆସୁଥିଲେ । ସ୍ୱାସ୍ଥ୍ୟ ଠାରୁ ଶିଳ୍ପ ପ୍ରତି କ୍ଷେତ୍ରରେ ଝାରସୁଗୁଡାର ବିକାଶ ପାଇଁ କାମ କରୁଥିଲେ । ଝାରସୁଗୁଡାର ନୂତନ ନିର୍ମାଣ ପାଇଁ ବାପା ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ପୂରା କରିବି । ଝାରସୁଗୁଡାରେ ସବୁବେଳେ ବିକାଶମୂଳକ କାମ ଜାରି ରହିବ ଏହା ମୋର ବିଶ୍ୱାସ ।