ଚାଷ କରିଛି ସଫଳ ବ୍ୟକ୍ତି…

ସାଲେପୁର : ସଫଳତା ଏକ ଉପହାର ନୁହେଁ । କଠିନ ପରିଶ୍ରମର ଫଳ ହେଉଛି ସଫଳତା । ସଫଳତା ହାସଲ କରିବା ପାଇଁ ନିଜ କର୍ତ୍ତବ୍ୟ ପଥରେ କଠିନ ପରିଶ୍ରମ ଆବଶ୍ୟକ । ଅଦମ୍ୟ ଇଚ୍ଛାଶକ୍ତି ହିଁ ସଫଳତାର ମାପକାଠି । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦନପୁର ପଞ୍ଚାୟତ ଗୋପୀନାଥପୁର ଗ୍ରାମର ଶୁକଦେବ ପ୍ରଧାନ । ପ୍ରାୟ ଦୁଇ ଏକର ପରିମିତ ଜମିରେ ସେ ଫଳାଇଛନ୍ତି ସୁନା । ଯୁଆଡେ ଦେଖିବେ ରକମ ରକମର ଫଳନ୍ତି ଗଛ । ଜାମୁଡୋଳ, ଆମ୍ବ, ସପୁରୀ, ଅମୃତଭଣ୍ଡା, କଦଳୀ, ପଣସ, ପୋଟଳ, ଲଙ୍କା, ବାଇଗଣ, ଜହ୍ନି, ଭେଣ୍ଡି ଆଦି ବିଭିନ୍ନ ଫଳନ୍ତି ଗଛରେ ଭରପୂର ସମଗ୍ର ପରିବେଶ । ଚାଷ ହିଁ ତାଙ୍କର ପରିଶ୍ରମ । ଆଉ ସଫଳ ଚାଷୀ ହେବାର ସେ ଯେଉଁ ଆଖ୍ୟା ପାଇଛନ୍ତି ତାହା ହେଉଛି ତାଙ୍କର ସଫଳତା ।

ଆଗକୁ ସାବିତ୍ରୀବ୍ରତ ଥିବାରୁ ସେ କୁଇଣ୍ଟାଲ, କୁଇଣ୍ଟାଲ ଜାମୁଡୋଳ ବିକି ସାରିଲେଣି । ପେନ୍ଥା, ପେନ୍ଥା ହୋଇ ବର୍ତମାନ ମଧ୍ୟ ଝୁଲୁଛି ଅନେକ ଜାମୁଡୋଳ ଓ ବିଭିନ୍ନ କିସମର ଭଳିକି ଭଳି ଆମ୍ବ । ଶୁକଦେବ ଚାକିରୀ ପଛରେ ନଗୋଡ଼ାଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଚାଷରୁ ସେ ବାର୍ଷିକ ଲକ୍ଷାଧିକ ଟଙ୍କା ମଧ୍ୟ ରୋଜଗାର କରିପାରୁଛନ୍ତି । ଶୁକଦେବଙ୍କ ପତ୍ନୀ ଓ ତାଙ୍କ ବାପା ତାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି । ଶୁକଦେବ କହିଛନ୍ତି ଯେ ଯଦି ନିଷ୍ଠାର ସହିତ ଏହି କାର୍ଯ୍ୟ କରାଯିବ ତେବେ ଅଧିକ ଫସଲ ନିଶ୍ଚେ ଅମଳ ହୋଇପାରିବ । ଯଦି ଆଜିର ଯୁବପିଢ଼ୀ ଚାକିରୀ ପଛରେ ନଧାଇଁ,ଏଭଳି ବିଭିନ୍ନ ଚାଷକାର୍ଯ୍ୟରେ ମନନିବେଶ କରନ୍ତେ ତେବେ ସେମାନେ ମଧ୍ୟ ସଫଳ ଚାଷୀ ହୋଇ ପାରିବା ସହ ଆତ୍ମନିର୍ଭରଶୀଳ ହୋଇ ପାରିବେ ବୋଲି ଶୁକଦେବ କହିଛନ୍ତି ।
ରିପୋର୍ଟ: ସାଲେପୁରରୁ ଅଭୟ ଜେନା