ଭୋଟ୍ ଦେଉଛନ୍ତି ଝାରସୁଗୁଡାବାସୀ । କିଏ ପିନ୍ଧିବ ମୁକୁଟ ଅପେକ୍ଷା…

ଆଜି ଝାରସୁଗୁଡାବାସୀ ବାଛୁଛନ୍ତି ତାଙ୍କ ନେତା । ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଭୋଟ୍ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଉପନିର୍ବାଚନରେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ମୋଟ ୨୫୩ ବୁଥରେ ମତଦାନ କରୁଛନ୍ତି । ପ୍ରତି ବୁଥରେ କେମିତି ଭୋଟଗ୍ରହଣ ଚାଲିଛି ତାହା ଉପରେ ନଜର ରଖାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ମୋଟ ୨୫୩ଟି ବୁଥରୁ ୨୨୭ଟି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ରହିଥିବାବେଳେ ବାକି ୨୬ଟି ବୁଥକୁ ପିଙ୍କ୍ ବୁଥ କରାଯାଇଛି । ପ୍ରତ୍ୟେକ ବୁଥରେ ୪ଜଣ ପୁଲିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ୨୪ଟି ଟିମକୁ ରିଜର୍ଭ ରଖାଯାଇଛି ।
୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ଟକ୍କର ହେଉଛି ।
ଏହାଭିତରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୧୯ ନମ୍ବର ୱାର୍ଡର ୭୦ ନମ୍ବର ବୁଥରେ ଭୋଟ୍ ଦେଇଛନ୍ତି । ଅପରପକ୍ଷେ ସରବହାଲରେ ୩୩ ନମ୍ବର ବୁଥରେ ନିଜ ପରିବାର ସହ ଭୋଟ ଦେଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।
ମତଦାନକୁ ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଆଇନଶୃଙ୍ଖଳା ଦାୟିତ୍ୱରେ ମୋଟ ୧୫୫ଜଣ ପୋଲିସ ଅଫିସର, ୧୭ ପ୍ଲାଟୁନ ଆର୍ମଡ ପୋଲିସ, ୩୨୩ଜଣ ହାବିଲଦାର, କନେଷ୍ଟବଳ ଓ ୨୦୫ଜଣ ହୋମଗାର୍ଡଙ୍କୁ ମିଶାଇ ମୋଟ ୧୮୧୪ଜଣ ପୋଲିସ କର୍ମୀଙ୍କ ସମେତ ୭ କମ୍ପାନୀ କେନ୍ଦ୍ରୀୟ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି କେନ୍ଦ୍ରୀୟ ଫୋର୍ସ ୧୪୪ଟି ବୁଥ ଦାୟିତ୍ୱରେ ରହିଛନ୍ତି ।