ଜଗତସିଂହପୁର ଜିଲ୍ଲା ପ୍ରଶାସନ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ପାରାଦ୍ୱୀପରେ ପୋର୍ଟ-ସାଇଡ ଆଉଟଲେଟ ଆଣ୍ଡ କାଫେ ଉଦଘାଟିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପ୍ରଶାସନ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ପାରାଦ୍ୱୀପ ସର୍କିଟ ହାଉସରେ ଉଦଘାଟିତ ହେଲା ପୋର୍ଟ ସାଇଡ ଆଉଟଲେଟ ଆଣ୍ଡ କାଫେ । ଓଡିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି ଏବଂ ମିଶନ ଶକ୍ତି ବିଭାଗ ସହଯୋଗରେ ଏହା ଜିଲ୍ଲା ପ୍ରଶାସନର ଏକ ମହତ୍ ପଦକ୍ଷେପ । ମିଶନ ଶକ୍ତି ମହିଳାଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏହି ଆଉଟଲେଟ କାଫେ । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ୍ ତାପସ କୁମାର ବିଦ୍ଧିବଦ୍ଧ ଭାବେ ଏହି ଆଉଟଲେଟକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜର ଖୁସି ବ୍ୟକ୍ତ କରିବା ସହ SHG ମହିଳାମାନଙ୍କୁ ଉତ୍ସାହିତ କରିଛନ୍ତି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ପାରୁଲ ପଟୱାରୀ ଉପସ୍ଥିତ ରହି SHG ମହିଳାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହା ମହିଳାଙ୍କ ପରିଚୟ ସୃଷ୍ଟି କରିବାକୁ ଏକ ଉତ୍ତମ ମାଧ୍ୟମ ବୋଲି ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟର ବରିଷ୍ଠ ଅଧିକାରୀ, ବିଭିନ୍ନ କର୍ପୋରେଟ୍ ପ୍ରତିନିଧୀ ଓ ବିଶିଷ୍ଟ ଅତିଥିମାନେ ଯୋଗଦେଇ ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ ।
ଏହି ଆଉଟଲେଟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସୁନ୍ଦର ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶିତ କରାଯାଇଛି । ଖାଦ୍ୟ ପଦାର୍ଥ ଏବଂ ବେକରୀ ଉତ୍ପାଦିତ ବିକ୍ରୟ ପାଇଁ ଏକ ଖାଦ୍ୟ କାଫେ କରାଯାଇଛି । ଜିଲ୍ଲାର ଗ୍ରାମାଞ୍ଚଳର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ବୃଦ୍ଧି କରିବା ପାଇଁ ଏହା ଏକ ବଡ଼ ପଦକ୍ଷେପ । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ହେଉଛି ଏହି ବିକ୍ରୟ କେନ୍ଦ୍ର ଓ ଖାଦ୍ୟ କାଫେର ମୁଖ୍ୟ ଲକ୍ଷ୍ୟ । ତେବେ ଏଥିରେ ଯୋଗ ଦେଇ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବେଶ ଖୁସି ଥିବା କହିଛନ୍ତି । ଆଗାମୀ ଦିନରେ ଏହି ପଦକ୍ଷେପ ଗ୍ରାମାଞ୍ଚଳର ନାରୀଙ୍କ ମଧ୍ୟରେ ସାମାଜିକ ତଥା ଆର୍ଥିକ ବିକାଶରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ନିଶ୍ଚୟ ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ