ଓଡିଶାରେ ଖାଲି ଶଙ୍ଖ କ୍ରେଜ୍ ! ହିନ୍ଦୋଳ ଏନ୍ଏସିର ଉପାଧ୍ୟକ୍ଷ ପଦ ବି ହାତେଇଲା ବିଜେଡି

ହିନ୍ଦୋଳ : ହିନ୍ଦୋଳ ଏନ୍ଏସିର ଉପାଧ୍ୟକ୍ଷ ପଦ ବି ହାତେଇଲା ବିଜେଡି । ଏନ୍ଏସିର ନୂତନ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ପ୍ରତିମା ରାଉତ । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳି ଅନୁସାରେ ହିନ୍ଦୋଳରେ ଏନ୍ଏସି ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ସଂଖ୍ୟା ଗରିଷ୍ଠତା ଥିବା ଶାସକ ବିଜେଡି ଦଳର ୧୦ ନମ୍ବର ୱାର୍ଡ କାଉନସିଲର ପ୍ରତିମା ରାଉତ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିରୋଧୀ ବିଜେପି ଦଳର ୬ ନମ୍ବର ୱାର୍ଡ କାଉନସିଲର ତୃପ୍ତିମୟୀ ବେହେରାଙ୍କଠାରୁ ୬ ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି । ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ । ବିଜେଡି ଦଳର ପ୍ରତିମା ୧୧ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥିନୀ ତୃପ୍ତିମୟୀଙ୍କୁ ୫ ଖଣ୍ଡ ଭୋଟ ମିଳିଥିଲା ।
ଗତ ଏପ୍ରିଲ ୩ ତାରିଖରେ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ ଗ୍ରହଣ ହୋଇ ୫ ତାରିଖରେ ଫଳାଫଳ ଘୋଷଣା କରାଯାଇଥିଲା । ଏଥିରେ ୧୬ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ଓ ୫ଟିରେ ବିଜେପି ପ୍ରାର୍ଥୀ ବିଜୟୀ ହାସଲ କରିଥିଲେ । ତେବେ ଅଧ୍ୟକ୍ଷ ପଦ ପୂର୍ବରୁ ବିଜେଡି ହାସଲ କରିଥିବାବେଳେ ଏବେ ଉପାଧ୍ୟକ୍ଷ ପଦ ହାସଲ କରି ନିଜର ଖୁସି ଜାହିର କରିଛି ବିଜେଡି । ଆଗାମୀ ଦିନରେ ଦଳ ଏଭଳି ଜନସାଧାରଣଙ୍କ ସେବାରେ ନିୟୋଜିତ ହେଉଥିବ ବୋଲି ବିଜୟୀ ପ୍ରାର୍ଥୀ କହିଛନ୍ତି ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ କୁମାର ବେହେରା ଓ ହିନ୍ଦୋଳରୁ ସନାତନ ନାଥ