ବାବା ଅମରନାଥଙ୍କ ଯାତ୍ରା ପାଇଁ କେବେଠୁ ପଞ୍ଜିକରଣ ଜାଣନ୍ତୁ …

ଚଳିତ ବର୍ଷ ଜୁଲାଇ ୧ତାରିଖରେ ଆରମ୍ଭ ହେବ ବାବା ଅମରନାଥଙ୍କ ଯାତ୍ରା । ଦୀର୍ଘ ୬୨ ଦିନ ଧରି ଏହି ଯାତ୍ରା ଚାଲିବ । ଏଥିପାଇଁ ଏପ୍ରିଲ ୧୭ରେ ଆରମ୍ଭ ହେବ ପଞ୍ଜୀକରଣ । ଉଭୟ ଅଫଲାଇନ ଓ ଅନଲାଇନରେ ଅମରନାଥ ଯାତ୍ରା ପାଇଁ ଶ୍ରଦ୍ଧାଳୁମାନେ ପଞ୍ଜୀକରଣ କରିପାରିବେ । ଏ ନେଇ ସୂଚନା ଦେଇଛନ୍ତି ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ଓ ସୁବିଧାରେ ଅମରନାଥ ଯାତ୍ରା କରିପାରିବେ ସେ ନେଇ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଉପରାଜ୍ୟପାଳ ସୂଚନା ଦେଇଛନ୍ତି ।
ଏହି ଅବସରରେ ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ଓ ସେବା ପ୍ରଦାନକାରୀ ଲୋକଙ୍କୁ ଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ସହ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ । ତେବେ ଯାତ୍ରା ପୂର୍ବରୁ ଟେଲିକମ୍ ସେବାକୁ ଅଧିକ ତ୍ୱରାନ୍ୱିତ କରାଯିବ । ବିଜୁଳି ବ୍ୟବସ୍ଥାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପାଇଁ ସମସ୍ତ ବିଭାଗ ତତ୍ପର ରହିବ । ଏହି ଅବସରରେ ଦକ୍ଷିଣ କଶ୍ମୀରରେ ଥିବା ଗୁମ୍ପାକୁ ଯାଇ ଶ୍ରଦ୍ଧାଳୁମାନେ ବାବା ଅମରନାଥଙ୍କ ଦର୍ଶନ କରିପାରିବେ ।
କଶ୍ମୀରଘାଟିର ଅନନ୍ତନାଗ ଜିଲ୍ଲାରେ ଥିବା ଅମରନାଥ ଗୁମ୍ପାରେ ବାବା ଅମରନାଥଙ୍କୁ ଦର୍ଶନ କରିବା ପାଇଁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସବୁ ବର୍ଷ ଭଳି ଏଥର ମଧ୍ୟ ଅନନ୍ତନାଗରେ ଥିବା ପାହାଲଗାମ ଓ ଗଣ୍ଡେରବାଲ ଜିଲ୍ଲାରେ ଥିବା ବାଲଟାଲ ଟ୍ରାକ୍ରୁ ଯାତ୍ରା ସମାନ ସମୟରେ ଆରମ୍ଭ ହେବ ।