୭୫ ବର୍ଷରେ ପାଦ ଥାପିଲା ରାଜଧାନୀ

ରାଜଧାନୀ ଭୁବନେଶ୍ୱରକୁ ପୁରିଲା ୭୫ ବର୍ଷ । ଏଥିପାଇଁ ଉତ୍ସବ ମୁଖର ପୁରା ସହର । ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ପାଳିତ ହେବ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ । ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲରେ ଏହି ଉତ୍ସବ ଆୟୋଜନ କରାଯାଉଛି । ରାଜଧାନୀର ପ୍ଲାଟିନମ ଜୁବଲି ପାଳନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱର ସହର ଓଡିଶାର ରାଜଧାନୀ ଭାବେ ନିଜର ପରିଚୟ ପାଇଥିଲା । ସେବେଠାରୁ ରାଜଧାନୀର ଧୀରେ ଧୀରେ କାୟା ବଢିବା ସହ ସହର ସ୍ମାର୍ଟ ହୋଇଛି ।
ଓଡ଼ିଶା ବିଧାନସୌଧ ସମ୍ମୁଖ ତଥା ରାଜଧାନୀ ଶିଳାନ୍ୟାସ ଫଳକ ସମ୍ମୁଖ ଉତ୍କଳ ମଣ୍ଡପରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ମେୟର, ନେତା, ପ୍ରଶାସନିକ ଅଧିକାରୀ ଓ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆଜି ପ୍ରଥମ ଦିନର ଆରମ୍ଭ ପରେଡରୁ କରାଯାଇଛି । ଏଥିରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ । ଏହା ସହ ଡେୟାର ଡେଭିଲ୍ ସୋ’ ଓ ସ୍କେଟିଂ ଆଦି କରାଯାଇଥିଲା ।