ଆସନ୍ତା ୫ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ତ୍ରାହି । ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ

ଅସହ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ । ତତଲା କଡେଇରେ ସିଝୁଛି ସମଗ୍ର ରାଜ୍ୟ । ଦିନ ଗଢିବା ସହ ବଢୁଛି ତାତିର ପ୍ରବାହ । ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ୁଛି । ରାଜ୍ୟରେ ଏବେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ । ଗ୍ରୀଷ୍ମ ପ୍ରବାହ ସଂକ୍ରାନ୍ତରେ ପ୍ରତି ଜିଲ୍ଲାରେ କଲ୍ ସେଣ୍ଟରରୁ ତଥ୍ୟ ସଂଗ୍ରହ କରାଯାଉଛି । ଜିଲ୍ଲାପାଳଙ୍କ ସହାୟତାରେ ଲୋକଙ୍କୁ ସଚେତନ କରାଯାଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଆସନ୍ତା ୫ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବା ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବା ସମ୍ଭାବନା ରହିଛି । ଏପ୍ରିଲ ୧୩ରୁ ୧୫ ତାରିଖ ଯାଏଁ ଅତିପ୍ରଖର ଗ୍ରୀଷ୍ମ ପ୍ରବାହ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି ।
ଗତକାଲି ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୧.୬ ଡିଗ୍ରୀ ବାରିପଦାରେ ରେକର୍ଡ କରାଯାଇଛି । ଚଳିତ ବର୍ଷ ପ୍ରଥମ ଥର ଭୁବନେଶ୍ୱର ଓ କଟକ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିଲା । ଭୁବନେଶ୍ୱରରେ ୪୦.୭ ଓ କଟକରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଏଥିସହ ଆଗାମୀ ୪ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ । ତେଣୁ ଏହି ସମୟରେ ପ୍ରଚୁର ପାଣି ପିଇବା ସହ ଖରା ସମୟରେ ବାହାରକୁ ନ ବାହାରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅତ୍ୟାବଶ୍ୟକ ସ୍ଥଳରେ ଘରୁ ବାହାରକୁ ଗଲେ ଛତା ଧରି ଯିବାକୁ କହିଛନ୍ତି ।