ବଦଳିଗଲା ଶବର ଠିକଣା ! ଆତ୍ମୀୟ ଭାବି ଶବସତ୍କାର କଲେ ପରିବାର ଲୋକ

କଟକ : ଅଦଳବଦଳ ହୋଇଗଲା ଶବ । ଠିକ୍ ଠିକଣାରେ ପହଞ୍ଚିବା ବଦଳରେ ବଦଳିଗଲା ଶବର ଠିକଣା । ପରିବାର ଲୋକେ ବି ଏହି ଘଟଣାର ଟେର ପାଇଲେନି । ଶବ ଘର ଦୁଆର ଆଗରେ ପହଞ୍ଚିବା ପରେ ନିଜର ଭାବି କାନ୍ଦ ବୋବାଳି କରି ସତ୍କାର କଲେ । ହେଲେ ଏବେ ଖବର ପାଇଲେ ଯେ ସେ ଶବ ଅନ୍ୟ କାହାର ଥିଲା । ଏବେ ପରିବାର ଲୋକ ପୁଣି ନିଜ ଆତ୍ମୀୟଙ୍କ ମୃତଦେହକୁ ଅପେକ୍ଷା କରି ବସିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା କୁଆଁଶୋଳରେ । ମୃତକ ଜଣକ ହେଉଛନ୍ତି ବିଳାସ ଭୂୟାଁ।
ଦୀର୍ଘ ବର୍ଷ ହେବ ବମ୍ବେରେ ଏକ ଘରୋଇ କାର ସୋରୁମରେ ବିଳାସ କାମ କରୁଥିଲେ l ତେବେ ଗତ ୮ ତାରିଖରେ ତାଙ୍କର ବ୍ରେନ ଷ୍ଟ୍ରୋକ୍ ହୋଇଥିଲା l ସ୍ଥାନୀୟ ସାଙ୍ଗମାନେ ବିଳାସଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ l ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏ ନେଇ ମେଡିକାଲ ତରଫରୁ ଶବକୁ ଘରକୁ ପଠାଇବା ଲାଗି ବ୍ୟବସ୍ଥା କରାଯାଇଥିଲା l ମାତ୍ର ମେଡିକାଲରେ ହିଁ ଶବ ଅଦଳ ବଦଳ ହୋଇଥିଲା l
ତେବେ ବିଳାସଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ପରିବାର ଲୋକ ଶବକୁ ଚିହ୍ନି ପାଇନଥିଲେ । ଏପରିକି ଗ୍ରାମବାସୀ ଓ ପରିବାର ଲୋକେ ନଦୀ ସ୍ମସାନରେ ବିଳାସଙ୍କ ଅନ୍ତିମ ସଂସ୍କାର କରିଥିଲେ । ବିଳାସଙ୍କ ଶବ ସତ୍କାର କରି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଉକ୍ତ ମୃତଦେହ ବିଳାସଙ୍କର ନୁହେଁ ବୋଲି ନେମାଳ ପୋଲିସ ଫୋନ କରି ସୂଚନା ଦେଇଥିଲା । ଏପରିକି ଉକ୍ତ ମୃତଦେହ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କର ଏବଂ ବିଳାସଙ୍କ ମୃତଦେହ ଅଦଳବଦଳ ହୋଇ ଯାଇଥିବା ନେଇ ସୂଚନା ଦେଇଥିଲା ପୋଲିସ ।
ଅପରପକ୍ଷେ ରାଜସ୍ଥାନରୁ ଉକ୍ତ ବ୍ୟକ୍ତିଙ୍କ ପରିବାର ବିଳାସଙ୍କ ମୃତଦେହ ଧରି କୁଆଁଶୋଳ ଗ୍ରାମକୁ ଆସୁଥିବା ଜଣାପଡିଛି । ଏହାପରେ ସେମାନେ ବିଳାସଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ନିଜ ଆତ୍ମୀୟଙ୍କ ଚିତାଭସ୍ମ ନେଇ ଫେରିବେ ବୋଲି ସୂଚନା ମିଳିଛି ।
ରିପୋର୍ଟ : ସାଲେପୁରରୁ ଅଭୟ ଜେନା