କମାଲ କରିଦେଲେ ଟ୍ୱିଟର ବଏ ବିନୟ ନାଏକ…

ହିନ୍ଦୋଳ : ଗରିବ, ନିରୀହ ମଣିଷର ଦୁଃଖ-ସୁଖର ସାଥୀ ପାଲଟିଛନ୍ତି ଟ୍ୱିଟର ବଏ ବିନୟ ନାଏକ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କନ୍ତାମିଲା ଗ୍ରାମ ପଞ୍ଚାୟତର ଚନ୍ଦ୍ରମଣି ନାଏକ । ବୟସ ୮୭ ବର୍ଷ । ସେ ବିଗତ ତିନି ମାସ ହେବ ତାଙ୍କର ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଥିଲେ । ଏ ନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଏସ୍ଏସ୍ଓ ଏବଂ ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ । ହେଲେ ତାଙ୍କ ଗୁହାରି ଶୁଣିବାକୁ କାହା ପାଖରେ ସମୟ ନ ଥିଲା । ଏହି ଘଟଣା ବାବଦରେ ଯେତେବେଳେ ଢେଙ୍କାନାଳ ଜିଲ୍ଲାର ଟ୍ୱିଟର ଆକାଉଣ୍ଟ କୋଡ଼ିନେଟର ତଥା ଟ୍ୱିଟର ବଏ ନାମରେ ପରିଚିତ ବିନୟ ନାଏକ ଜାଣିବାକୁ ପାଇଲେ ସେ ତୁରନ୍ତ ଏ ନେଇ ଟ୍ୱିଟ କରିଥିଲେ ।

ଆଉ ଟ୍ବିଟ୍ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ପଞ୍ଚାୟତର ଅଧିକାରୀମାନେ ଚନ୍ଦ୍ରମଣିଙ୍କ ଘରକୁ ଆସି ସେଠାରେ ତାଙ୍କୁ ଭତ୍ତା ପଇସା ଦେଇଯାଇଛନ୍ତି । ଏ ନେଇ କନ୍ତାମିଲା ଗ୍ରାମର ଚନ୍ଦ୍ରମଣି ନାଏକ ଟ୍ୱିଟର ବଏ ବିନୟଙ୍କୁ ଧନ୍ୟବାଦ ଜଣାଇବା ସହିତ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଟ୍ବିଟର ବଏଙ୍କ କମାଲ ଏବେ ହିନ୍ଦୋଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ରିପୋର୍ଟ : ହିନ୍ଦୋଳରୁ ସନାତନ ନାଥ