ହିନ୍ଦୋଳ ଏନ୍ଏସି ନିର୍ବାଚନରେ ପୁଣି ବାନା ଉଡାଇଲା ବିଜେଡି

ହିନ୍ଦୋଳ : ଏନ୍ଏସି ନିର୍ବାଚନରେ ପୁଣି ବାନା ଉଡାଇଲା ବିଜେଡି । ହିନ୍ଦୋଳ ଏନ୍ଏସିର ଚେୟାରମ୍ୟାନ ପଦ ହାତେଇଲା ବିଜେଡି । ଅଳ୍ପକେ ବଞ୍ଚିଗଲା ବିଜେଡିର ମାନ । ହିନ୍ଦୋଳ ଏନ୍ଏସି ନିର୍ବାଚନ ପାଇଁ ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ଏନ୍ଏସି କାର୍ଯ୍ୟଳୟ ପରିସରରେ ହିନ୍ଦୋଳ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୋଟ ଗଣତି କାର୍ଯ୍ୟ ସୁଚାରରୁପେ ସମ୍ପାଦିତ ହୋଇଥିଲା । ଗଣତି ପରେ ଶାସକ ବିଜେଡି ଦଳ ପକ୍ଷରୁ ଚେୟାରମ୍ୟାନ ପଦବୀ ପାଇଁ ନିର୍ବାଚନ ଲଢ଼ିଥିବା କେଶବ ଚନ୍ଦ୍ର ପ୍ରଧାନ ମୋଟ ୪,୩୪୭ ଖଣ୍ଡ ଭୋଟ ପାଇ ବିଜୟୀ ଘୋଷିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଶୋଭାଗିନୀ ପ୍ରଧାନଙ୍କଠାରୁ ୪୨୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ଏଥିରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ରିତା ପଲେଇଙ୍କୁ ମୋଟ ୨୧୯ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି । ଅପରପକ୍ଷେ ନୋଟା ସପକ୍ଷରେ ୧୫୧ ଖଣ୍ଡ ଭୋଟ ଯାଇଥିବା ସୂଚନା ମିଳିଛି ।
ହିନ୍ଦୋଳରେ ୧୬ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛି । ଅପରପକ୍ଷେ ୫ଟି ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ ହିନ୍ଦୋଳରେ ଖାତା ଖୋଲିପାରିଲାନି କଂଗ୍ରେସ । ଗତ ୨୦୧୮ ନିର୍ବାଚନରେ ବିଜେପିକୁ କେବଳ ଜଣେ ମାତ୍ର କାଉନସିଲର ମିଳିଥିବାବେଳେ ଏଥର ସଂଖ୍ୟା ୫କୁ ପହଞ୍ଚିଛି । ଯାହାକୁ ନେଇ ବିଜେପି ଶିବିରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଏହି ବିଜୟକୁ ବିଜେପି ନେତୃବୃନ୍ଦ ଶତ ପ୍ରତିଶତ ସଫଳତା ବୋଲି ମନେ କରୁଛନ୍ତି । ସୂଚନାଯୋଗ୍ୟ, ଗତ ୩ ତାରିଖରେ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ ଗ୍ରହଣ ହୋଇଥିଲା ।