ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ତମ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ତମ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ସମାରୋହ-୨୦୨୩ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଫକୀର ମୋହନ ବିଶ୍ୱ ବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀ, ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଭାତ କୁମାର ରାଉଳ, ଜିଲ୍ଲାପାଳ ପାରୁଲ ପଟୱରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟନାୟକ ପ୍ରମୁଖ ଯୋଗ ଦେଇ ଜଗତସିଂହପୁର ଜିଲ୍ଲା ପ୍ରତିଷ୍ଠାରେ ଜନ ନେତାଙ୍କର ଭୂମିକା ଓ ରାଜ୍ୟରେ ଜିଲ୍ଲାର ସୁନାମ ଉପରେ ଆଲୋକପାତ କରିଥିଲେ । ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଜିଲ୍ଲାର ବିକାଶ କରିବା ସହିତ ସମଗ୍ର ରାଜ୍ୟରେ ଏକ ନମ୍ବର ଜିଲ୍ଲାର ମାନ୍ୟତା ପାଇବା ଦିଗରେ କାର୍ଯ୍ୟକରିବା ଲାଗି ଆହ୍ବାନ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ୩୦ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇ ଅତିଥିମାନେ କେକ୍ କାଟିଥିଲେ । ଶେଷରେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ଚିତାକର୍ଷକ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା ।
ରିପୋର୍ଟ: ଜଗତସିଂହପୁରରୁ ରୀତା ସାହୁ