ଚାଲିଛି ଏନ୍ଏସି ନିର୍ବାଚନ, ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର

ଚାଲିଛି ଢେଙ୍କାନାଳ ଏନ୍ଏସି ପାଇଁ ମତଦାନ । ସେପଟେ ବରଗଡ଼ ଜିଲ୍ଲା ଅତାବିରାରେ ମଧ୍ୟ ଚାଲିଛି ମତଦାନ । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଏହା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ।
ହିନ୍ଦୋଳ ଏନ୍ଏସି ପାଇଁ ୩ ଜଣ ଦଳୀୟ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସହ ୫୦ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ମୋଟ୍ ୧୬ଟି ୱାର୍ଡର ୯ ହଜାର ୮୭୨ ଜଣ ଭୋଟର ଆଜି ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସେହିପରି ଅତାବିରା ଏନ୍ଏସିର ୧୨ଟି ୱାର୍ଡରେ ମତଦାନ ପାଇଁ ମୋଟ୍ ୧୬ଟି ବୁଥ୍ କରାଯାଇଛି । ଅତାବିରା ବାଳିକା ହାଇସ୍କୁଲର ୨ ନମ୍ବର ବୁଥକୁ ପିଙ୍କ ବୁଥ୍ କରାଯାଇଛି । ଏଥିରେ ସମସ୍ତ ନିର୍ବାଚନ କର୍ମଚାରୀ ଓ ଦଳୀୟ ଏଜେଣ୍ଟ ମହିଳା ଅଛନ୍ତି । ପ୍ରତି ବୁଥରେ ଜଣେ ଲେଖାଏଁ ପ୍ରିଜାଇଡିଂ ଅଫିସର, ୪ ଜଣ ପୋଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେଥିମଧ୍ୟରୁ ୭ଟି ସମ୍ବେଦନଶୀଳ, ୩ଟି ଅତି ସମ୍ବେଦନଶୀଳ ଚିହ୍ନଟ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।