ଓଡିଶା କଳା ସଂସ୍କୃତି ମନୋରଞ୍ଜନ

ବାବା ଚନ୍ଦନେଶ୍ୱରଙ୍କ ଉପରେ ନିର୍ମାଣ ହେବ ପ୍ରାମାଣିକ ଚଳଚ୍ଚିତ୍ର ‘ଚଡକ ମେଳା’

ବାବା ଚନ୍ଦନେଶ୍ୱରଙ୍କ ପୌରାଣିକ କଥାବସ୍ତୁ, ପରମ୍ପରା ଏବଂ ଐତିହ୍ୟକୁ ନେଇ ନିର୍ମାଣ ହେବାକୁ ଯାଉଛି ପ୍ରାମାଣିକ ଚଳଚ୍ଚିତ୍ର ‘ଚଡକ ମେଳା’ । ଆଜି ଉତ୍କଳ ଦିବସ ଅବସରରେ ଏହାର ଶୁଭ ମହୁରତ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି ।

ବାଲେଶ୍ୱର ଜିଲ୍ଲାର ସୁଯୋଗ୍ୟ ସନ୍ତାନ, ଏଣ୍ଟରଟେନମେଣ୍ଟ ଦୁନିଆର ଟେକନିକାଲ ଗୁରୁ ଲଳିତେନ୍ଦୁ ଦାସଙ୍କ ପ୍ରଯୋଜନା ଏବଂ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଯାଉଛି ଏହି ପ୍ରାମାଣିକ ଚଳଚ୍ଚିତ୍ର ‘ଚଡକ ମେଳା’ । ଚଳଚ୍ଚିତ୍ର ନିର୍ମାଣର ପୃଷ୍ଠପୋଷକତାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥିବାରୁ ଡା. ଲଲାଟେନ୍ଦୁ ଦାସ ଏବଂ ସୁବାଷ ଦାସଙ୍କୁ ପ୍ରଯୋଜନା ସଂସ୍ଥା ପକ୍ଷରୁ କୃତଜ୍ଞତା ଜଣାଯାଇଛି । ଏଥିରେ ବୈଷୟିକ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଚନ୍ଦନ ଜାନା । ଏହି ପ୍ରାମାଣିକ ଚଳଚ୍ଚିତ୍ରରେ ଶ୍ରୀକାନ୍ତ ବେହେରା ଏବଂ ଅଞ୍ଜନ ଜାନା କ୍ୟାମେରାମ୍ୟାନ ଭାବେ ଦାୟିତ୍ୱ ସମ୍ଭାଳୁଥିବାବେଳେ ପ୍ରଡକସନ୍ ହେଡ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ରଞ୍ଜନ ଦେ । ଚଳଚ୍ଚିତ୍ର ସମ୍ବନ୍ଧୀୟ ସମସ୍ତ ପ୍ରଚାର ପ୍ରସାର ଦାୟିତ୍ୱରେ ରହିଛନ୍ତି ରାକେଶ ଦିକ୍ଷିତ ।

ସାମ୍ବାଦିକ ସୁବାଷ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଶୁଭ ମହୁରତ ଅବସରରେ ଭୋଗରାଇ ତହସିଲଦାର ସୁଶାନ୍ତ ପଟ୍ଟନାୟକ, ଭୋଗରାଇ ଅତିରିକ୍ତ ତହସିଲଦାର ଗଦାଧର ସେଠୀ, ବ୍ଲକ ଅଧ୍ୟକ୍ଷ ପ୍ରବିର ଗିରି, ମନ୍ଦିର ଟ୍ରଷ୍ଟ ମୌରସୀ ତପନ କୁମାର ପଣ୍ଡା ଏବଂ ତାଙ୍କ ସହିତ ମିହିର ପଣ୍ଡା, ଦିଲ୍ଲୀପ ପଣ୍ଡା, ସୁବାଶିଷ ଦାସ, ଜିଲ୍ଲା ପରିଷଦ ସଭ୍ୟ ପିନା ମହାନ୍ତି, ସମାଜସେବୀ ଦିଲ୍ଲୀପ କାମିଳା, ଆଇନଜୀବୀ ଭୁବନାନନ୍ଦ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ପରିଷଦ ଅଶୋକ ସାହୁ, ପୂର୍ବତନ ଚେୟାରମ୍ୟାନ ସବିତା ବେହେରା, ଡା. ଲଲାଟେନ୍ଦୁ ଦାସ, ସାମ୍ବାଦିକ ବିଶମ୍ବର ଦାସ, ଅମର ମହାନ୍ତି, ବିକାଶ ପାଣିଗ୍ରାହୀ, ରାଧାକୃଷ୍ଣ ମହାନ୍ତି ଏବଂ ଚଳଚ୍ଚିତ୍ର ୟୁନିଟର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ଚଡକ ମେଳାର ମାହାତ୍ମ୍ୟ ସମଗ୍ର ବିଶ୍ୱରେ ପହଂଚାଇବା ସହ ଆମ ରାଜ୍ୟର ପରମ୍ପରା, ଏତିହ୍ୟ, କିମ୍ବଦନ୍ତୀ ଏବଂ ଲୋକକଥାକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ଦେବାର ଏକ ଉଦ୍ୟମ ହେଉଛି ପ୍ରାମାଣିକ ଚଳଚ୍ଚିତ୍ର ‘ଚଡକ ମେଳା’ ।

‘ଚଡକ ମେଳା’ ସମ୍ବନ୍ଧୀୟ ତଥ୍ୟ-

ଉତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ପୀଠ । ବାବାଙ୍କ ଉତ୍ପତିକାଳ ସଠିକ ଭାବେ ନିରୂପଣ କରିବା ଅସମ୍ଭବ । ମାତ୍ର କିମ୍ବଦନ୍ତୀ କହେ ଗ୍ରାମର କୂଳବଧୂ ଲଛମୀର ଶୈବଭକ୍ତି ଏବଂ ତପୋବଳରେ ବାବାଙ୍କ ଅପୂର୍ବ ଦୈବ୍ୟ ଘଟଣାରେ ବାବା ଚନ୍ଦନେଶ୍ୱରଙ୍କ ଆର୍ବିଭାବ । ବାବା ଚନ୍ଦନେଶ୍ୱର ଘଂଚ ହୁଗୁଳା ଜଙ୍ଗଲ ମଧ୍ୟରେ ଆର୍ବିଭୂତ ହୋଇଥିବାରୁ ସେହି ଗ୍ରାମର ନାମ ହୁଗୁଳୀ । ବାବଙ୍କ ପୀଠର ନାମକରଣକୁ ନେଇ ଅନେକ ଲୋକକଥା ରହିଛି । ପ୍ରତ୍ୟେକବର୍ଷ ଚୈତ୍ର ମାସରେ ଦୀର୍ଘ ୧୩ ଦିନ ବ୍ୟାପି ଚଡକ ମେଳା ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ଓଡିଶା ସମେତ ବଙ୍ଗ, ବିହାର ଏବଂ ଛତିଶଗଡରୁ ବହୁ ସଂଖ୍ୟରେ ଭକ୍ତ ଏଠାକୁ ଆସି ବ୍ରତଧାରଣ କରଥାଆନ୍ତି ।

ପ୍ରଥା ଅନୁଯାୟୀ ଅଧିବାସ ଓ ମହାଦୀପ ପ୍ରଜ୍ୱଳନ ପୂର୍ବକ ଚନ୍ଦନେଶ୍ୱର ଚଡକ ଉତ୍ସବରେ ନାନ୍ଦ ପଡେ ଚୈତ୍ରମାସ ତେରଦିନରେ । ପରେ ମାସର ୧୭ ଦିନରେ ବନ୍ଧା ଭକ୍ତମାନେ ପଇତା ଧାରଣ କରନ୍ତି । ତେବେ ସେହିଦିନ ଶନିବାର କିମ୍ବା ମଙ୍ଗଳବାର ହୋଇନଥିଲେ, ଏକ ଅକଟା ବାଉଁଶଝାଡରୁ ବାଡ ବାଉଁଶ ସଂଗ୍ରହ କରାଯାଏ । ଏହି ବାଉଁଶ ଧର୍ମଦଣ୍ଡ ବା ଧ୍ୱଜଦଣ୍ଡ ରୂପେ ବ୍ୟବହୃତ ହୁଏ ।

ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଚଡକ ମେଳାକୁ ୩ ଭାଗର ବିଭକ୍ତ କରାଯାଇଛି । ପ୍ରଥମରେ ‘କାମିନା ବିବାହ’, ଦ୍ୱିତୀୟରେ ‘ନୀଳପର୍ବ’ ଏବଂ ତୃତୀୟରେ ‘ପାଟପର୍ବ’ ଅନୁଷ୍ଠିତ ହୁଏ ।

‘କାମିନା ବିବାହ’ ସମ୍ପର୍କରେ ପ୍ରଚଳିତ ଲୋକକଥା ହେଲା, ଶିବ ପ୍ରତିବର୍ଷ କାମନା ନାମକ କନ୍ୟାକୁ ଏହିଦିନ ବିବାହ କରନ୍ତି । ଏହାର ଅର୍ଥ ପ୍ରତ୍ୟେକ ମଣିଷ ନିଜ ଭିତରେ ବଢୁଥିବା କାମନାକୁ ଶିବଙ୍କ ପରି ସତପାତ୍ରରେ ଦାନ କରିବା ଆବଶ୍ୟକ । ଏପରିକି କାମିନା ବିବାହକୁ ନେଇ ବହୁ ପୌରାଣିକ ମତ ମଧ୍ୟ ରହିଛି । ସେହିପରି ‘ନୀଳପର୍ବ’ ଅବସରରେ ନୀଳ ପୋଖରୀରୁ ଦୁଇଟି ଥମ୍ବିକାଠ ଉଠାଇ ମନ୍ଦିର ପ୍ରଦକ୍ଷିଣ ପୂର୍ବକ ଗୋଟିଏ ସ୍ଥାନରେ ରଖାଯାଏ । ଏହାର ଉଦ୍ଦେଶ୍ୟ ହେଲା, ଏହି ଦୁଇ ଖଣ୍ଡ କାଠ ସାହାଯ୍ୟରେ ପାଟ (ଉଡନ୍ତା) ପର୍ବ ପାଳିତ ହୁଏ । କିମ୍ବଦନ୍ତୀ କହେ, ଏହିଦିନ ଭଗବାନ ଶିବଶମ୍ଭୁ ସମୁଦ୍ର ମନ୍ଥନରୁ ଉତଥିତ ହଳାହଳକୁ ପାନ କରି ବିଶ୍ୱବାସୀକୁ ବିଷ ଜ୍ୱାଳାରୁ ମୁକ୍ତ କରି ସ୍ୱୟଂ ନୀଳକଣ୍ଠ ହୋଇଥିଲେ । ତେଣୁ ଏହିଦିନ ଭକ୍ତମାନେ ଉପବାସ କରି ସଦାଶିବଙ୍କ ମସ୍ତକରେ ପଇଡ, ଦୁଗ୍ଧ ଏବଂ ଜଳ ଲାଗି କରନ୍ତି । ଆଉ ଶେଷରେ ଅନୁଷ୍ଠିତ ହୁଏ ‘ପାଟପର୍ବ’ । ଏହାକୁ ଉଡନ୍ତା ପାଟ ପର୍ବ ବୋଲି କୁହାଯାଏ । ଏହି ଅବସରରେ ଭକ୍ତମାନେ ନିଜକୁ କ୍ଲିଷ୍ଟ ଓ କୁଚ୍ଛ ସାଧନାଦ୍ୱାରା ଭଗବାନ ଶିବଙ୍କୁ ଅଳ୍ପକେ ସନ୍ତୁଷ୍ଟ କରି ତାଙ୍କ ନିକଟରୁ ବରପ୍ରାପ୍ତି କରନ୍ତି ।

ପାଟ ଉତ୍ସବ ବା ଚଡକ ଯାତ୍ରାରେ ରାଜ୍ୟରୁ ତଥା ଅନ୍ୟ ରାଜ୍ୟରୁ ଲକ୍ଷାଧିକ ଭକ୍ତ ପଇତା ପିନ୍ଧି ବ୍ରତଧାରଣ କରନ୍ତି । ସେମାନେ ସମଗ୍ର ଦିବସରେ ଟୋପାଏ ପାଣି ସ୍ପର୍ଶ କରନ୍ତି ନାହିଁ । ତେବେ ସନ୍ଧ୍ୟାରେ ଦେବ ଦେବ ମହାଦେବଙ୍କୁ ଅର୍ଘ୍ୟ ଦେବା ପରେ ଥରେ ମାତ୍ର ହବିଷ୍ୟାନ୍ନ ଆହର କରନ୍ତି । ଚଡକ ମେଳାର ଅନ୍ତିମ ଅର୍ଘ୍ୟଦାନ ପୂର୍ବରୁ ସମସ୍ତ ବ୍ରତାଚାରୀ ଭକ୍ତ ହାକାଣ୍ଡ ପୋଖରୀରେ ମାଳା ଚନ୍ଦନୀ ହୁଅନ୍ତି । ଚଡକ ପର୍ବ ପରଦିନ ଭକ୍ତମାନେ ନିକଟସ୍ଥ ସମୁଦ୍ରରେ ପଇତା ବିସର୍ଜନ ଓ ପିତୃ/ମାତୃ ତର୍ପଣ କରି ସ୍ୱଗୃହକୁ ପ୍ରତ୍ୟାବର୍ତନ କରନ୍ତି । ଏହାସହ ସେବାୟତ ପୂଜକମାନେ ମନ୍ଦିରରେ ଶୌଚକ୍ରିୟା ଆଧ୍ୟାତ୍ମରୀତିରେ ସମ୍ପୂର୍ଣ୍ଣ କରିଥାଆନ୍ତି । ମହାଦେବଙ୍କ ପାଇଁ କୌଣସି ଆମିଷ ଦ୍ରବ୍ୟର ବାରଣ ଥିବାବେଳେ ସେହିଦିନ ଗଣମାନଙ୍କ ସନ୍ତୋଷ ପାଇଁ ଯୋଡିଏ ଶେଉଳମାଛ ବଳି ଦିଆଯାଇଥାଏ ଏବଂ ବର୍ଷକର ସମସ୍ତ ବିଧି ବିଧାନ ସମାପ୍ତ ହୁଏ ।

ଦୀର୍ଘ ୧୩ ଦିନର ଏହି ମେଳା ଭଗବାନ ଶିବଙ୍କର ଏକ ଅନ୍ୟନ୍ୟ କିମ୍ବଦନ୍ତୀ । ଏହି କିମ୍ବଦନ୍ତୀକୁ ନେଇ ନିର୍ମାଣ ହେବାକୁ ଯାଉଛି ପ୍ରାମାଣିକ ଚଳଚ୍ଚିତ୍ର ‘ଚଡକ ମେଳା’ । ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂରେ । ଏ କଥା କହିବାର ତାତ୍ପର୍ଯ୍ୟ, ଚଡକ ମେଳାର ମାହାତ୍ମ୍ୟ ସମଗ୍ର ବିଶ୍ୱରେ ପହଂଚାଇବା ସହ ଆମ ରାଜ୍ୟର ପରମ୍ପରା, ଏତିହ୍ୟ, କିମ୍ବଦନ୍ତୀ ଏବଂ ଲୋକକଥାକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ଦେବାର ଏକ ଉଦ୍ୟମ । ବିଶ୍ୱାସ ଏବଂ ଆସ୍ଥାର ପ୍ରତୀକ ଭାବେ ଅଦୈତ୍ୱିୟ ପରମ୍ପରାକୁ ଲୋକଲୋଚନାକୁ ଆଣିବା ଚଳଚ୍ଚିତ୍ରର ଉଦ୍ଦେଶ୍ୟ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା