ପଞ୍ଚାୟତସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର କୃଷି ସେବା ସମବାୟ ସମିତିରେ ପଞ୍ଚାୟତସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସେବା ସମବାୟ ସମିତି ସଭାପତି ପଦ୍ମ ଚରଣ ସ୍ୱାଇଁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କର୍ମଶାଳାରେ ଛତ୍ରପୁର ସେବା ସମବାୟ ସମିତି ନିରୀକ୍ଷକ ଜି.କୃଷ୍ଣମୂର୍ତ୍ତି ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ତାଳସର ପଞ୍ଚାୟତର ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, ସମିତି ସଭ୍ୟ ମାଧବ ରାଉତ, ବିସିସିବି ବ୍ୟାଙ୍କ ନିର୍ଦ୍ଦେଶକ ପୀତବାସ ଭୂୟାଁ, ବିସିସିବି ବ୍ୟାଙ୍କ ମ୍ୟାନେଜର ବିବେକ ପାତ୍ର, ବେଗୁନିଆପଡା ସମବାୟ ସଭାପତି ଜି.ସଞ୍ଜୀବ ରାଓ, ନୀଳି କୁମାରୀ ଜେନା, ଜୟରାମ ସେଠି, ପ୍ରକାଶ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବେଗୁନିଆପଡା ଶାଖାର ସୁପରଭାଇଜର କବିରାଜ ସ୍ୱାଇଁ ଯୋଗ ଦେଇ କୃଷକମାନଙ୍କର ସୁବିଧା ପାଇଁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହିତ ଚାଷୀମାନେ ଯେପରି ସମସ୍ତ ସୁବିଧା ପାଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଆୟୋଜିତ କର୍ମଶାଳାରେ ସ୍ଥାନୀୟ ଅଞ୍ଚଳର ବହୁ କୃଷକ ଉପସ୍ଥିତ ଥିଲେ ।
ରିପୋର୍ଟ: ବେଗୁନିଆପଡାରୁ ବାପୁନି କୁମାର ମାଲୁ