ରାମ ଧ୍ବନିରେ କମ୍ପୁଛି ଗାଁଠୁ ସହର । ଗେରୁଆ ରଙ୍ଗରେ ସଜେଇ ହୋଇଛି ଭାରତବର୍ଷ

ଆଜି ହେଉଛି ପବିତ୍ର ରାମନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର । ଚୈତ୍ର ଶୁକ୍ଳପକ୍ଷର ନବମୀ ଦିନକୁ ରାମ ନବମୀ ଭାବେ ପାଳନ କରାଯାଏ । ରାମ ନବମୀକୁ ନେଇ ଆଜି ସାରା ଦେଶ ଉତ୍ସବ ମୁଖର । ହିନ୍ଦୁମାନଙ୍କର ଏହା ଏକ ବଡ ପର୍ବ । ରାଜ୍ୟ ତଥା ଦେଶର ରାମ ମନ୍ଦିର, ହନୁମାନ ମନ୍ଦିର ଓ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କର ଭଡି ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ରାମନବମୀ ଅବସରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ଆଜିଠାରୁ ପୁରୀରେ ଆରମ୍ଭ ହୋଇଯିବ ପାରମ୍ପରିକ ସାହିଯାତ । ଏଥିପାଇଁ କଳାକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସାହିଯାତ ପାଇଁ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଆଖଡା ଚଳଚଞ୍ଚଳ ହୋଇଉଠିଛି ।
ରାମନବମୀ ଉପଲକ୍ଷେ ଉତ୍ସବ ମୁଖର ହୋଇଉଠିଛି ଭଦ୍ରକ ସହର ସମେତ ବାଲେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର । ପରମ୍ପରା ଅନୁଯାୟୀ ଗତକାଲି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସହ ମାଆ ଭଦ୍ରକାଳୀ ଓ ଯାଜପୁରର ଅଧିଷ୍ଠାତ୍ରୀ ମାଆ ବିରଜାଙ୍କ ମନ୍ଦିରରୁ ଆଜ୍ଞାମାଳ ଭଦ୍ରକ ଗାନ୍ଧିପଡିଆରେ ପ୍ରସ୍ତୁତ ଯଜ୍ଞ ମଣ୍ଡପକୁ ଆସିଛି ।
ସେହିପରି ବାଲିଆପାଳରେ ମଧ୍ୟ ରାମ ନବମୀ ଉପଲକ୍ଷେ ଆୟୋଜିତ ହୋଇଛି ଏକ ବିଶାଳ ବାଇକ୍ ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ଵ ବାଇକ୍ ସହ ୧୨ ହଜାରୁ ଉର୍ଦ୍ଧ୍ବ ହିନ୍ଦୁପ୍ରେମୀ ସହର ପରିକ୍ରମା କରୁଛନ୍ତି । ବାଲିଆପାଳ ବ୍ଲକ ଗେରୁଆ ପତାକାରେ ସଜେଇ ହେବା ସାଙ୍ଗକୁ ଜୟ ଶ୍ରୀରାମ ଧ୍ଵନିରେ ବାଲିଆପାଳ କମ୍ପି ଉଠୁଛି । ହଜାର ହଜାର ବାଇକ୍ ଆରୋହୀ ଏକ ଶୋଭାଯାତ୍ରା ବାଲିଆପାଳ ହନୁମାନ ମନ୍ଦିର ପରିସରରୁ ବାହାରି ଜାମଶୁଳୀ, ଲଙ୍ଗଳେଶ୍ବର ବଜାର, ପଞ୍ଚୁପାଲୀ, ରତେଈ, କାଳୀପଦା ଦେଇ ପୁଣି ବାଲିଆପାଳରେ ପହଞ୍ଚିବାର ସୂଚନା ରହିଛି । ପୋଲିସ ପ୍ରସାଶନ ପକ୍ଷରୁ ଏହି ବାଇକ୍ ଶୋଭାଯାତ୍ରାକୁ ଆଖି ଆଗରେ ରଖି ବିଧିବଦ୍ଧ ଭାବେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।