ଶୃଙ୍ଖଳିତ ଭାବେ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଅନୁରୋଧ

ହିନ୍ଦୋଳ : ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ଅନୁଷ୍ଠିତ ହେବ ହିନ୍ଦୋଳ ଏନ୍ଏସି ନିର୍ବାଚନ । ନିର୍ବାଚନକୁ ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନ ହଲରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ୱାର୍ଡରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥି/ପ୍ରାର୍ଥିନୀଙ୍କ ସହିତ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ସଦସ୍ୟ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ଏହି ଅବସରରେ ନିର୍ବାଚନ ଆଚରଣ ବିଧି, ପ୍ରାର୍ଥି/ପ୍ରାର୍ଥିନୀଙ୍କ ବିଭିନ୍ନ ଖର୍ଚ୍ଚର ହିସାବ ଓ ନିର୍ବାଚନ ସମ୍ବନ୍ଧୀୟ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । ହିନ୍ଦୋଳ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶିବାନନ୍ଦ ସ୍ବାଇଁଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ବୈଠକରେ ନିର୍ବାଚନର ସମସ୍ତ ବିଧି ବ୍ୟବସ୍ଥା, ଖର୍ଚ୍ଚର ହିସାବ, ପ୍ରାର୍ଥିମାନେ ବ୍ୟବହାର କରିବାକୁ ଥିବା ଗାଡି, ଆଇନ ଶୃଙ୍ଖଳା ଓ ପ୍ରଚାର ଉପରେ ସମ୍ୟକ ସୂଚନା ପ୍ରଦାନ କରାଯାଇଥିଲା ।
ନିର୍ବାଚନ ପାଇଁ ୨ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ମିଳିଥିବାବେଳେ ପ୍ରତ୍ୟେକ କାଉନସିଲର ପ୍ରାର୍ଥି ଦୁଇଟି ଗାଡି ବ୍ୟବହାର କରିବା ସହ ନିର୍ବାଚନରେ ଅନ୍ୟୁନ ୫୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ବୋଲି କୁହାଯାଇଛି । ଏଥିସହ ନିର୍ବାଚନୀ ସଭା ପାଇଁ ଟେଣ୍ଟ ବ୍ୟବସ୍ଥା ଇତ୍ୟାଦି କରିବାକୁ ନିର୍ବାଚନ ଅଧିକାରୀଙ୍କ ଅନୁମତି ନେବାକୁ ଗୁରୁତ୍ବ ଦିଆଯାଇଛି । ସେହିଭଳି ଚେୟାରମ୍ୟାନ ପ୍ରାର୍ଥି ୨ ଲକ୍ଷ ଟଙ୍କା ଖର୍ଚ୍ଚ ସହ ପ୍ରଚାର ନିମନ୍ତେ ୪ ଟି ଗାଡି ବ୍ୟବହାର କରିବାକୁ ଅନୁମତି ମିଳିଛି । ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଯୋଗ ଦେଇ ବୁଥସ୍ତରରେ ଆଇନ ଶୃଙ୍ଖଳା ରକ୍ଷା ସହ ନିର୍ବାଚନ କମିଶନଙ୍କ ସମସ୍ତ ନିୟମକୁ ମତଦାତା ଏବଂ ପ୍ରାର୍ଥି ପାଳନ କରିବାକୁ ଅନୁରୋଧ କରିଛନ୍ତି ।
ଏହି ଅବସରରେ ଜିଲ୍ଲାପାଳ ଉପସ୍ଥିତ ପ୍ରାର୍ଥି, ପ୍ରାର୍ଥିନି ଓ ପ୍ରତିନିଧିମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦେବା ସହ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହିନ୍ଦୋଳ ଉପଖଣ୍ଡ ପୋଲିସ ଅଧିକାରୀ, ତହସିଲଦାର, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ, ହିନ୍ଦୋଳ ଆଇଆଇସିଙ୍କ ସମେତ ବହୁ ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
ହିନ୍ଦୋଳରୁ ସନାତନ ନାଥ