ଭାଙ୍ଗିଲା ଲକଗେଟ୍ କବାଟ; ଲୁଣିପାଣି ଘେରରେ ହେକ୍ଟର ହେକ୍ଟର ଚାଷଜମି

ଭୋଗରାଇ: ଭୋଗରାଇରେ ଭାଙ୍ଗିଲା ଇଂରେଜ ଅମଳରେ ନିର୍ମିତ ଓଡ଼ିଶା କୋଷ୍ଟ କେନାଲର ୩ନଂ ରେଞ୍ଜ ଭୋଗରାଇ ଲକଗେଟ୍ କବାଟ । ଦୀର୍ଘ ବର୍ଷ ହେଲା ଏହି କବାଟ ବିପଦଜନକ ଅବସ୍ଥାରେ ଥିବାବେଳେ ଜଳ ସମ୍ପଦ ବିଭାଗର ଦାୟିତ୍ୱହୀନତା କାରଣରୁ ଏହି କବାଟ ଲୁଣିପାଣିର ଜୁଆର ମାଡ଼ରେ ନଷ୍ଟ ହୋଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଫଳରେ ପାର୍ଶ୍ଵବର୍ତ୍ତୀ ହଜାର ହଜାର ହେକ୍ଟର ରବି ଧାନଚାଷ ଜମିରେ ଲୁଣି ପାଣି ପ୍ରବେଶ କରି ବିପର୍ଯ୍ୟସ୍ତ ଅବସ୍ଥା ସୃଷ୍ଟି କରିଛି । ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ନଦୀ ସଂଯୋଗ ପାର୍ଶ୍ଵରେ ଥିବା କବାଟକୁ ମରାମତି କରିବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହେବା ପରେ କବାଟ ପାର୍ଶ୍ୱରେ ବାଲି ବସ୍ତା ପକାଇ ଏହାକୁ ବନ୍ଦ କରାଯାଇଥିଲା ।
ଗତ ୨୦୨୦ରେ ଜଳ ସମ୍ପଦ ବିଭାଗର ଜୋବ୍ରାସ୍ଥିତ ମେକାନିକାଲ ଡିଭିଜନ ଏହାର ଦାୟିତ୍ଵ ନେବା ସହ ଏହି କବାଟକୁ ଖୋଲି ମରାମତି କାର୍ଯ୍ୟ କରିଥିଲେ ମଧ୍ୟ ଏହା ସେମିତି ବିପଦଜନକ ଅବସ୍ଥାରେ ରହିଥିଲା । ସ୍ଥାନୀୟ ଜଳ ସମ୍ପଦ ବିଭାଗ ଭୋଗରାଇ ଡିଭିଜନ ପକ୍ଷରୁ ଏହାକୁ ଆପାତତଃ ପରିଚାଳନା କରାଯାଉଥିଲା ବେଳେ ଲୁଣିପାଣି ଜୁଆର ମାଡ଼ରେ ଏହା ଭାଙ୍ଗି ଯାଇଥିଲା । ଫଳରେ ଭୋଗରାଇ ଭୁଆବିଲ ଓ ଅନ୍ଧିଆ ଉତ୍ତର ପାର୍ଶ୍ବ ଚାଷ ଜମିକୁ ଲୁଣି ପାଣି ପ୍ରବେଶ କରିଛି । ଫଳରେ ଅନେକ ଗାଁର ହଜାର ହଜାର ହେକ୍ଟର ଚାଷ ଜମି ଏବେ କ୍ଷତିଗ୍ରସ୍ତ ହେବାକୁ ବସିଛି । ଏହାସହ ପ୍ରାୟ ୧୧ଟି ପଞ୍ଚାୟତର ପାଣି ପମ୍ପ ଲୁଣି ପାଣିରେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ସ୍ଥାନୀୟ ଚାଷୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ।
ଖବରପାଇ ଜଳସମ୍ପଦ ବିଭାଗ ଏସଡିଓ ପ୍ରିୟବ୍ରତ ସିଂ, ଭୋଗରାଇ ଡିଭିଜନ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବେହେରା, ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ବାଲି ବସ୍ତା ପକାଇ ଏହାକୁ ବନ୍ଦ କରିଛନ୍ତି ।
ବାଲିଆପାଳରୁ ଚନ୍ଦନ ଅଣ୍ଡିଆ