କଥା ଦେଇ କଥା ରଖିଲେ ବ୍ରହ୍ମପୁର ସାଂସଦ

ଗଜପତି : କଥା ଦେଇ କଥା ରଖିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ । ଗତ ଫେବୃଆରୀ ୨୮ ତାରିଖରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବ୍ରହ୍ମପୁର ସାଂସଦ । ଏହି ଅବସରରେ ସେ ବିଦ୍ୟାଳର ଛାତ୍ରୀଙ୍କ ଲାଗି ଟେବୁଲ ଚେୟାର ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ଆଉ ଶେଷରେ ସାଂସଦ ମହୋଦୟ ନିଜ ପ୍ରତିଶ୍ରୁତି ରକ୍ଷା କରି ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଟେବୁଲ ଚେୟାର ହସ୍ତାନ୍ତର କରିଛନ୍ତି । ଏହି ବିଦ୍ୟାଳୟଟି ରାଜ୍ୟ ସରକାରଙ୍କ 5T ଅନ୍ତର୍ଭୁକ୍ତ ହେବା ସହ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ଜାରି ରହିଛି । ଏଭଳି ସ୍ଥଳେ ସାଂସଦ ନିଜସ୍ୱ ଉଦ୍ୟମରେ ଛାତ୍ରୀଙ୍କ ଲାଗି ଟେବୁଲ ଚେୟାରର ବ୍ୟବସ୍ଥା କରିଥିବାବେଳେ ଏହା ବିଦ୍ୟାଳୟର ଆହୁରି ଉନ୍ନତିରେ ସହାୟକ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି । ଜିଲ୍ଲା ବିଜେଡି ଯୁବ ସଭାପତି ଏସ୍. ଲିଙ୍ଗରାଜ, ପାରଳା ନଗର ବିଜେଡି ସଭାପତି ସୁଧିରଞ୍ଜନ ମହାପାତ୍ର, ଯୁବନେତା ସୁଜିତ କୁମାର ଦାସ, ଛାତ୍ର ବିଜେଡି ସଭାପତି ବିଶ୍ୱଜିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟକୁ ଟେବୁଲ ଚେୟାର ହସ୍ତାନ୍ତର କରିଥିଲେ । ଅପରପକ୍ଷେ ସାଂସଦ ସ୍ୱଳ୍ପ ଦିନରେ ନିଜର ପ୍ରତିଶ୍ରୁତି ରକ୍ଷା କରିଥିବାରୁ ଏ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
ଗଜପତିରୁ ବିବେକାନନ୍ଦ ବେହେରା