ଚଡକ ପର୍ବ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲେଶ୍ବର : ଦୀର୍ଘ ୩ ବର୍ଷ ପରେ ସାର୍ବଜନୀନ ଭାବେ ପାଳନ ହେବ ବାବା ଚନ୍ଦନେଶ୍ଵର ମହାଦେବଙ୍କ ଚଡ଼କ ପର୍ବ I ଏ ନେଇ ଚନ୍ଦନେଶ୍ଵରସ୍ଥିତ ଯାତ୍ରୀ ନିବାସରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏପ୍ରିଲ ୩ ତାରିଖରେ ମହାଦେବଙ୍କ ରୁଦ୍ରାଭିଷେକ କାର୍ଯ୍ୟକ୍ରମରୁ ଚଡକ ପର୍ବର ଶୁଭାରମ୍ଭ ହେବ । ଏହି ପର୍ବ ଆସନ୍ତା ୧୫ରେ ଓଡ଼ିଆ ନବବର୍ଷରେ ଶେଷ ହେବ । ଏପ୍ରିଲ ୧୨ ତାରିଖରେ ପବିତ୍ର ‘ଶିବ-କାମୀନା ବିବାହ’ ଏବଂ ‘ମହାନୀଳ ପର୍ବ’ ଅନୁଷ୍ଠିତ ହେବାକୁ ଥିବାବେଳେ ୧୩ ତାରିଖରେ ପବିତ୍ର ‘ପାଟପର୍ବ’ ଅନୁଷ୍ଠିତ ହେବ ବୋଲି ପ୍ରସ୍ତୁତି ବୈଠକରେ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ସୂଚନା ଦେଇଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ରଙ୍କ ସମେତ ବିଭିନ୍ନ ସହଯୋଗୀ ଓ ଏନଜିଓ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।
ଚଡକ ମେଳାରେ ରାଜ୍ୟ ବାହାରୁ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡରୁ ଭକ୍ତ ଆସିଥାନ୍ତି । ସେମାନଙ୍କ ସୁରକ୍ଷା ପାଇଁ ଜିଲ୍ଲାପାଳ ଜଳେଶ୍ୱର ଏସଡିପିଓଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ଚଡ଼କ ପର୍ବରେ ସ୍ୱାସ୍ଥ୍ୟ ସେବା ସୁରକ୍ଷା, ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ପାରାମେଡିକାଲ ଟିମ୍ ନିୟୋଜିତ କରାଯିବା ସହିତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯିବ । ପାର୍କିଂ ବ୍ୟବସ୍ଥା, ବ୍ୟାରିକେଡ୍ ନିର୍ମାଣ ସହ ଆବଶ୍ୟକ ସଂଖ୍ୟକ ପୁଲିସ ଅଫିସର ଓ କର୍ମଚାରୀ ମୁତୟନ କରିବା ବ୍ୟବସ୍ଥା କରାଯିବ । ଏହାବ୍ୟତୀତ ପାନୀୟଜଳ ଯୋଗାଣ, ପରିମଳ ସଚେତନତା, ନିରବିଚ୍ଛିନ୍ନ ଭାବେ ୨୪ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଣ ସହ ସ୍ୱଚ୍ଛତା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ବାଲିଆପାଳରୁ ଚନ୍ଦନ ଅଣ୍ଡିଆ