ଜନଶୁଣାଣୀରେ ନାହାନ୍ତି ଜନତା ଏବଂ ଜନପ୍ରତିନିଧି । ଓଡାପଡାରେ ଚାଲିଛି ଅନ୍ଧାରୀ ଶାସନବ୍ୟବସ୍ଥା

ଓଡ଼ାପଡ଼ା (ଗୋପବନ୍ଧୁ ବାରିକ): ବ୍ଲକ କାର୍ଯ୍ୟାଳୟରେ ଚାଲିଥିଲା ଜନଶୁଣାଣୀ । ହେଲେ ସେଠାରେ ନା ଥିଲେ ଜନତା ନା ଜନପ୍ରତିନିଧି । ଏଠି ପ୍ରଶ୍ନ କାହା ଉଦ୍ଦେଶ୍ୟରେ ଶୁଣାଣୀ କରୁଥିଲା ବ୍ଲକ ପ୍ରଶାସନ । ବ୍ଲକସ୍ତରୀୟ ବୈଠକରେ ଯଦି ଜନପ୍ରତିନିଧି ସାମିଲ ହେବେ ନାହିଁ ତେବେ ନିର୍ବାଚିତ ସଦସ୍ୟଙ୍କ କାମ କଣ ? ଗଣତନ୍ତ୍ର ଶାସନ ସମୟରେ ପ୍ରଶାସନିକ ଅଧିକାରୀ କଣ ଭୁଲିଯାଉଛନ୍ତି ତାଙ୍କର କର୍ତ୍ତବ୍ୟ ? ଲୋକଙ୍କ ବିନା ଲୋକପ୍ରତିନିଧିଙ୍କ ପରାମର୍ଶ ବିନା କାଗଜ କଲମରେ ଚାଲିଛି ଅନ୍ଧାରୀ ଶାସନ । କାହା ନିର୍ଦ୍ଦେଶରେ ବନ୍ଦ କୋଠରୀରେ ଚାଲିଥିଲା ଜନଶୁଣାଣୀ ?
ଏ ଦୃଶ୍ୟ ହେଉଛି ଓଡାପଡା ବ୍ଲକ କାର୍ଯ୍ୟାଳୟର ଦୃଶ୍ୟ । ବ୍ଲକ କାର୍ଯ୍ୟାଳୟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ବସାଧାରଣ ଜନଶୁଣାଣୀ ହେବାକୁ ଥିଲା । ମାତ୍ର ବ୍ଲକ ପ୍ରଶାସନ ଏ ବିଷୟରେ ନିର୍ବାଚିତ ପ୍ରତିନିଧିଙ୍କୁ କୌଣସି ଖବର ଦେଇନଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତ ସମିତି ସଦସ୍ୟ । ଏପରିକି ବୈଠକ ସମ୍ପର୍କରେ ପଞ୍ଚାୟତ ସମିତି ସଭ୍ୟସଭ୍ୟାଙ୍କୁ ଅବଗତ କରାଯାଇ ନଥିବାରୁ ସଦସ୍ୟମାନେ ଅଭିଯୋଗ କରି ବୈଠକକୁ ବାତିଲ କରିବାକୁ ଉପାଧ୍ୟକ୍ଷ ଅମିତାଭ ସ୍ବାଇଁଙ୍କ ସହିତ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦାବି ପତ୍ର ଦେଇଛନ୍ତି । ଏହା ସହିତ ପୁର୍ନବାର ଜନସାଧାରଣଙ୍କୁ ଅବଗତ କରାଇ ଶୁଣାଣୀ କରିବା ପାଇଁ ଦାବି କରିଛନ୍ତି ।
ଅପରପକ୍ଷେ ବ୍ଲକ ପ୍ରଶାସନର ଭିତିରି କେଳେଙ୍କାରୀ ତଥ୍ୟ କାଳେ ପଦାର ପଡିବ ବୋଲି ବ୍ଲକ ପକ୍ଷରୁ ଲୋକପ୍ରତିନିଧିଙ୍କୁ ଅବଗତ କରାଯାଇ ନାହିଁ ବୋଲି ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଓଡ଼ାପଡ଼ା ବ୍ଲକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି । ଏ କଥା ଖୋଦ ପଞ୍ଚାୟତ ସମିତି ସଭ୍ୟସଭ୍ୟା ଓ ଉପାଧ୍ୟକ୍ଷ ଅମିତାଭ ସ୍ବାଇଁ ଅଭିଯୋଗ କରିଛନ୍ତି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ସର୍ବସାଧାରଣ ଶ୍ରମିକ ତଥା ଜବକାର୍ଡଧାରୀ ଗରିବ ହିତାଧିକାରୀଙ୍କ ପାଇଁ ହେଇଥିବାବେଳେ ବ୍ଲକର ଅନେକ ସ୍ଥାନରେ ମେସିନରେ କାମ ହେଉଥିବା ଦେଖିବାକୁ ମିଳିଛି । ଏପରିକି ପ୍ରତ୍ୟେକ କାର୍ଯ୍ୟରେ ସୂଚନା ଫଳକ ନଥାଇ ନିମ୍ନମାନର କାର୍ଯ୍ୟ କରାଯାଇ ବିଲ ମଧ୍ୟ ଉଠୁଥିବା ନେଇ ଅଭିଯୋଗ କରିଛନ୍ତି ଜନ ପ୍ରତିନିଧି ।
ତେଣୁ ଏହି ଶୁଣାଣୀରେ ସର୍ବସାଧାରଣଙ୍କୁ ଅବଗତ କରାନଯାଇ ବ୍ଲକ ପ୍ରଶାସନ ଏପରି ତରବରିଆ ଭାବେ ବନ୍ଦ କୋଠରୀ ଭିତରେ ଜନଶୁଣାଣୀ କରିବା ଘଟଣା ଏବେ ବ୍ଲକ ପ୍ରଶାସନର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସ୍ଥାନୀୟଲୋକ ଅଭିଯୋଗ ଉଠାଇଛନ୍ତି ।
ଏ ନେଇ ଆମେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା ନେଇଥିଲୁ । ଶୁଣନ୍ତୁ କଣ କହିଲେ ସରକାରୀ ବାବୁ । ତାଙ୍କର କୌଣସି ଦୋଷ ନାହିଁ । ବାବୁ ଆମର ଖବରକାଗଜରେ ଜନଶୁଣାଣୀ ବାବଦରେ ତଥ୍ୟ ପ୍ରକାଶ କରିଛନ୍ତି । ସବୁ ଭୁଲ୍ ଜନପ୍ରତିନିଧି ଏବଂ ଜନତାଙ୍କର । ସେମାନେ ଖବର କାଗଜରୁ ତଥ୍ୟ ଜାଣିପାରିଲେ ନାହିଁ । ଏଠି ଆମର ସେହି ସରକାରୀ ବାବୁଙ୍କୁ ଗୋଟିଏ ପ୍ରଶ୍ନ, ଯଦି ଗ୍ରାମାଞ୍ଚଳରେ ସମସ୍ତେ ଖବରକାଗଜ ପଢି ତଥ୍ୟ ସଂଗ୍ରହ କରିପାରିବାରେ ସକ୍ଷମ ହେଉଥାଆନ୍ତେ, ତେବେ ସରକାର ଲୋକଙ୍କୁ ବିଭିନ୍ନ ଯୋଜନା ବାବଦରେ ସଚେତନ କରାଇବା ଲାଗି କୋଟି କୋଟି ଟଙ୍କା କାହିଁକି ଖର୍ଚ୍ଚ କରୁଥାଆନ୍ତେ ।
ଅପରପକ୍ଷେ ଆମ ପ୍ରତିନିଧି ଘଟଣା ବାବଦରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ, ମାତ୍ର ଅଧିକାରୀ ଏ ବିଷୟରେ କିଛି ପ୍ରତିକ୍ରିୟା ନରଖି ଚାଲି ଯାଇଥିଲେ । ତେବେ ବ୍ଲକ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧିଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । କାରଣ ସୋସିଆଲ ଅଡିଟ ବିଷୟରେ ଜନପ୍ରତିନିଧିଙ୍କୁ ବୈଠକକୁ ନ ଡକାଇବା ଏବଂ ଏହା ସର୍ବସାଧାରଣଙ୍କ ଉପସ୍ଥିତିରେ ଖୋଲା ସ୍ଥାନରେ ନକରି ବନ୍ଦ କୋଠରୀ କରାଇବା ଘଟଣା ଜନପ୍ରତିନିଧିଙ୍କ ଅଭିଯୋଗକୁ ସୁଦୃଢ କରିଛି ।