ବିଧାୟିକା ହେବା ସମୟରେ ଯାହା ଶପଥ ନେଇଥିଲେ, ତାକୁ ସାକାର କଲେ…

କୋଟପାଡ଼ (ସୁନୀଲ ଦାଶ ): ଜନସେବାକୁ ପାଥେୟ କରି ବିଧାୟିକା ହୋଇଥିଲେ । ବିଧାୟକ ଭାବେ ଶପଥ ନେବାବେଳେ ଯାହା ଶପଥ କରିଥିଲେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି କୋଟପାଡ ବିଧାୟିକା ପଦ୍ମିନୀ ଦିଆନ । ସବୁବେଳେ ଲୋକଙ୍କ ସେବାରେ ଥିବା ବିଧାୟିକା କର୍ତ୍ତବ୍ୟକୁ ପଛରେ ରଖି ପ୍ରଥମେ ଜନସେବାକୁ ଅଗ୍ରାଧିକାର ଦେଇଛନ୍ତି । ବିଧାୟିକା ପଦ୍ମିନୀ ଦିଆନ କୋଟପାଡ଼ରୁ 5ଟି ସଚିବଙ୍କ ନବରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଉଥିବା ସମୟରେ ସସାହାଣ୍ଡି ନିକଟସ୍ଥ ରାଜପଥରେ ତିନିଜଣ ଆହତଙ୍କୁ ଦେଖିଥିଲେ । ତୁରନ୍ତ ସେଠାରେ ଅଟକି ବିଧାୟିକା ନିଜେ ଆହତଙ୍କୁ ନିଜ ଗାଡିରେ ନେଇ ବୋରିଗୁମ୍ମା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏପରିକି ସେଠାରେ ବିଧାୟିକା ନିଜେ ଉପସ୍ଥିତ ରହି ଆହତଙ୍କ ଚିକିତ୍ସା କରାଇବା ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତରଙ୍କ ନିକଟରୁ ବୁଝିଥିଲେ । ପରେ ସେ ପୁନଃ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ । ବିଧାୟିକାଙ୍କ ଏଭଳି କାର୍ଯ୍ୟପନ୍ଥା ଏବେ ସମଗ୍ର ରାଜ୍ୟବାସୀଙ୍କ ପ୍ରଶଂସା ସାଉଁଟୁଛି ।
ସୂଚନା ଅନୁସାରେ ଜୟପୁର ଫୁଲବାଡ ଅଞ୍ଚଳର ମୁନି ଭୁମିଆ, ଲକ୍ଷ୍ମୀ ଭୁମିଆ ଓ ରାମଚନ୍ଦ୍ର ଭୁମିଆ ନାମକ ବ୍ୟକ୍ତି କୌଣସି କାମରେ ବାଇକ ଯୋଗେ ଯାଉଥିବ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସେମାନେ ରାସ୍ତାରେ ଅସହାୟ ଅବସ୍ଥାରେ ପଡି ରହିଥିଲେ । ତେବେ ସେହି ସମୟରେ ବିଧାୟିକା ଉକ୍ତ ରାସ୍ତା ଦେଇ ଯାଉଥିବାବେଳେ ଆହତଙ୍କୁ ଦେଖି ତୁରନ୍ତ ତାଙ୍କର ସହାୟତା କରିଥିଲେ ।