ପଖାଳ କଂସା ପ୍ରତ୍ୟେକ ଓଡିଆଙ୍କ ପ୍ରାଣ…

ପଖାଳ ପ୍ରତ୍ୟେକ ଓଡିଆଙ୍କ କେବଳ ଖାଦ୍ୟସାରଣୀ ନୁହେଁ । ଏହା ହେଉଛି ଓଡିଆ ଘରର ପରିଚୟ । ଖଟିଖିଆ ଓଡିଆଙ୍କ ସବୁଦିନିଆ ଖାଦ୍ୟ ଆଜି ବଡ ବଡ ସହରର ହାଇଫାଇ ରେଷ୍ଟୁରାଂଟର ମାନବର୍ଦ୍ଧନ କରିଛି । କଂସାଏ ପଖାଳ ସାଙ୍ଗକୁ ଆଳୁ ପୋଡା, ବାଇଗଣ-ଟମାଟ ଚଟଣୀ, ବଡି ଚୁରା, ଶାଗ ଭଜା, ଉଲି ପିଆଜ । ଆହାଃ କି ସ୍ୱାଦ । ଆଉ ଆମିଷ ଖାଇବା ଲୋକଙ୍କ ପାଇଁ ପଖାଳ ସାଙ୍ଗକୁ ଗରମ ଗରମ ମାଛ ଭଜା ହେଉ ଅବା ଚୁଙ୍ଗୁଡି ଛେଚା । ବାସ୍ ଖାଇବାର ମଜା ହିଁ ଅଲଗା । ଆଉ ରହିଲା ପଖାଳ ପାଗ କଥା, ଯିଏ ଖାଇଛି ସିଏ ଜାଣିଛି ତା ମଜା । ପଖାଳ ଖାଇ ସାରିବା ପରେ ତୋରାଣୀ କି କିଏ କଣ ଭୁଲିପାରିବ ।
ସ୍ୱରୂପ ନାଏକଙ୍କ ସଙ୍ଗୀତ ଏବଂ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଗୀତ “ଓଡିଶା ମୋ ଓଡିଶା” ଆଜି ବି ପ୍ରତ୍ୟେକ ଓଡିଆଙ୍କୁ ନିଜ ସ୍ୱାଭିମାନ ସହ ବଂଚିବାକୁ ଶକ୍ତି ଯୋଗାଏ । ସେହି ଗୀତର ଏକ ଲାଇନ ‘ଓଡିଆ ମନ ଓଡିଆ ପ୍ରାଣ ବୁଝେ ପଖାଳ କଂସା’, ସମଗ୍ର ଓଡିଆ ଜାତି, ପ୍ରାଣ, ହୃଦୟର କଥାକୁ ବର୍ଣ୍ଣନା କରିଛି ।
ପଖାଳ କଂସାଏ ଓଡିଆଙ୍କ ପାଇଁ ଅମୃତ ସମାନ । ଖଟିଖିଆ ଓଡ଼ିଆଙ୍କ ସବୁଦିନିଆ ଖାଦ୍ୟ ପଖାଳ ଆଜି ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପ୍ରତିବର୍ଷ ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଏ । ଏଇ ପଖାଳ ସଭିଙ୍କ ପ୍ରିୟ । ସେଥିପାଇଁ ୰ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ପରା ଗାଇଛନ୍ତି ।
“ଆସ ଜୀବନଧନ ମୋର ପଖାଳ କଂସା,
ସଜନୀରେ ତୋ ବିହୁନେ ଉଡିଲା ହଂସା ।”
ଚାଇଁ ପଖାଳ ହେଉ କି ବାସି ପଖାଳ, ସଜ ପଖାଳ ହେଉ କି ଛୁଙ୍କ ପଖାଳ ସବୁଥିରେ ରହିଛି ନିଆର ସ୍ୱାଦ । ଆଉ ଖରା ଦିନ ଆସିଲେ ପଖାଳର ପସରା ଜମେ । ପଖାଳ କଂସା ସାଙ୍ଗକୁ ଭଳିକି ଭଳି ତିଅଣ ଓଡିଆଙ୍କ ଭାବାବେଗକୁ ପରିପ୍ରକାଶ କରେ । ସେଥିପାଇଁ ୰ସଙ୍ଗୀତ ସୁଧାକର ଆହୁରି ମଧ୍ୟ ଗାଇଯାଇଛନ୍ତି –
“ବହିଲାଣି ଅନା ସଖି ଝଞ୍ଜା ପବନ,
ଅଠା ମାରି ଗଲା ତୁଣ୍ଡ ଯାଏ ଜୀବନ,
ତୋ’ ବିନେ ପଖାଳ ଗୋ ଫାଟିଲା କପାଳ ଗୋ,
ତୋରାଣି ସାଥୀରେ ମିଶି ହର ମୋ ତୃଷା . .।”
ଓଡ଼ିଆର ପ୍ରାଣ ପଖାଳ କଂସା । ପଖାଳ ଖାଲି ଓଡ଼ିଆଙ୍କ ପ୍ରିୟ ନୁହେଁ ବରଂ ମହାପ୍ରଭୁଙ୍କୁ ମଧ୍ୟ ନିତ୍ୟ ପଖାଳ ସମର୍ପଣ କରାଯାଏ । ମହାପ୍ରଭୁଙ୍କ ପାଖରେ ମଲ୍ଲିଫୁଲିଆ ପଖାଳ, ସୁବାସିତ ପଖାଳ, ଜିରା ପଖାଳ, ଚିପୁଡ଼ା ପଖାଳ ଓ ଘିଅ ପଖାଳ ପ୍ରସ୍ତୁତ ହୁଏ । ପଖାଳ ସଂସ୍କୃତିରୁ ଟଙ୍କତୋରାଣିର ସୃଷ୍ଟି ।
ଆଜି ପଖାଳ ଦିବସ ଉପଲକ୍ଷେ କାଳିଆ ସାଆନ୍ତଙ୍କ ପାଖେ ଲାଗି ହେବ ପଖାଳ ଭୋଗ । ସେପଟେ ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି । ଚୈତ୍ର- କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।