ପ୍ରସିଦ୍ଧ କୁମୁଡାହାଟ ମେଳଣ ଉଦଯାପିତ… ଭୋଗ ଖାଇବାକୁ ଶବର ପଲ୍ଲୀ ଗଲେ ରାଧାକୃଷ୍ଣ…

ସାଲେପୁର (ଅଭୟ ଜେନା): ପ୍ରସିଦ୍ଧ କୁମୁଡାହାଟ ମେଳଣ ଉଦଯାପିତ ହୋଇଯାଇଛି । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୁହୁଣ୍ଡା ଗାଁର ପ୍ରସିଦ୍ଧ କୁମୁଡାହାଟ ମେଳଣ ହଜାର ବର୍ଷର ପ୍ରାଚୀନ ସାଂସ୍କୃତିକ ଉତ୍ସବ ଭାବେ ସ୍ୱତନ୍ତ୍ରତା ବଜାୟ ରଖି ଆସିଛି । କାହିଁ କେଉଁ ଆବାହମାନ କାଳରୁ, ଏହି ମେଲଣ ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଆସୁଛି । ଶ୍ରୀ ଶ୍ରୀ ସପନେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରୁ କଲ୍ୟାଣପୁର ଗାଁର ଥାନପତିଙ୍କ ବିମାନ ଆସିଥାଏ । ସୁଶୋଭିତ ବିମାନରେ ପ୍ରଭୁ ଶ୍ରୀରାଧା ଏବଂ ଶ୍ରୀକୃଷ୍ଣଙ୍କୁ ବାଜା-ବାଣ-ଢୋଲ-ମହୁରୀ ଏବଂ ଯୋଡି ନାଗରା ବଜେଇ ଶୋଭାଯାତ୍ରାରେ ନିଆଯାଏ । ସେହିପରି ହଂସଦିଆ ଗ୍ରାମର ନାରାୟଣ କରଙ୍କ ଦାଣ୍ଡରୁ ସୁସଜ୍ଜିତ ରାଧାକୃଷ୍ଣ ବିମାନକୁ ମେଳଣସ୍ଥଳୀଙ୍କୁ ଉତ୍ସାହର ସହିତ ପାଛୋଟି ନିଆଯାଇଥାଏ । ପାରମ୍ପରିକ ଷଣ୍ଢନାଚ ଏହି ମେଳଣର ମୁଖ୍ୟ ଆକର୍ଷଣ ବୋଲି କୁହାଯାଏ ।
ହଜାର ହଜାର ଭକ୍ତ ପ୍ରଭୁଙ୍କ ଦିବ୍ୟଲୀଳା ଦର୍ଶନ ପାଇଁ ମେଳଣସ୍ଥଳୀରେ ଏକତ୍ରିତ ହୋଇଥାଆନ୍ତି । ଭାଇଚାରା ଓ ସଦଭାବନା ବଜାୟ ରଖିବା ଏହି ମେଳଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଏ । ମେଳଣ ଅବସରରେ ସୁସଜ୍ଜିତ ବିମାନଗୁଡିକୁ ଶବର ପଲ୍ଲୀକୁ ନିଆଯାଏ । ସେଠାରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସହ ଭୋଗ ଖୁଆଇ ବିଦାୟ ଦିଅନ୍ତି ।
କୁମୁଡାହାଟ ମେଳଣ ପ୍ରଚାର କମିଟି ଅଧ୍ୟକ୍ଷ ତଥା ସାମାଜିକକର୍ମୀ ଅଖିଳେଶ ପଦ ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ମେଳଣ ଉତ୍ସବରେ କମିଟିର ମୁଖ୍ୟ ଉପଦେଷ୍ଟା ରବୀନ୍ଦ୍ର ନାଥ ଦାସ, ପୂର୍ବତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା, ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ପ୍ରଧାନ, ସୁଶାନ୍ତ ଦାସ, ସମାଜସେବୀ ଅଫସର ତୁଲ୍ଲା, ସୁମନ୍ତ ପଲେଇ, ବିଭୁତି ଦାସ, ରବୀନ୍ଦ୍ର ପୃଷ୍ଟି, ଧରଣୀଧର ନାୟକ, ମନୋରଞ୍ଜନ ପଣ୍ଡା ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହି ମେଳଣ ପରିଚାଳନାରେ ସହଯୋଗ କରିଥିଲେ l