ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ହନ୍ତସନ୍ତ ସାଧାରଣ ଜନତା

ଜଟଣୀ (ପ୍ରଶାନ୍ତ କୁମାର ସାହୁ): ହକ୍ ପାଇଁ ଲଢୁଛନ୍ତି ଡ୍ରାଇଭର । ହେଲେ ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ହଇରାଣ ହେଉଛନ୍ତି ସାଧାରଣ ଜନତା । ମାର୍ଚ୍ଚ ୧୫ ତାରିଖରୁ ଡ୍ରାଇଭର ମହାସଂଘ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛି । ଆଜି ହେଉଛି ଏହି ଆନ୍ଦୋଳନର ଦ୍ବିତୀୟ ଦିବସ । ଡ୍ରାଇଭର ମହାସଂଘ ଧାରଣାର ୨୪ ଘଣ୍ଟା ପରେ ପରିବହନ ସେବା ଏକପ୍ରକାରର ଠପ୍ ହୋଇଯାଇଛି । ଆଉ ଏହାର ସିଧା ପ୍ରଭାବ ପଡିଛି ଖାଉଟିଙ୍କ ଉପରେ ।
ଜଟଣୀରେ ମଧ୍ୟ ଡ୍ରାଇଭର ମହାସଂଘର ଆନ୍ଦୋଳନ ପରେ ଏହାର ସିଧା ପ୍ରଭାବ ଦେଖିବାକୁ ମିଳିଛି । ଗାଡି ସେବା ବନ୍ଦ ହୋଇଯିବା କାରଣରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ତେଲ ଗାଡି ନ ଆସିବାରୁ ଅନେକ ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ରହିଛି । ଆଉ ଯେଉଁ ସ୍ଥାନରେ ଖୋଲା ଅଛି ସେଠାରେ ଲମ୍ବା ଲାଇନ ।
ଏହାବାଦ୍ ପରିବା ବଜାରରେ ମଧ୍ୟ ଦରଦାମ୍ ଅଣାୟତ୍ତ ହେବାରେ ଲାଗିଛି । ଗୋଟିଏ ପଟେ ପନିପରିବାର ଅଭାବ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ପରିବା କିଲୋ ପିଛା ୫ରୁ ୧୦ ଟଙ୍କା ଯାଏ ବଢ଼ି ଗଲାଣି । ଏପରିକି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଦୋକାନଗୁଡିକରେ ଲୋକଙ୍କ ଭିଡ଼ ମଧ୍ୟ ବଢ଼ିଲାଣି । ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଲେ ଆସନ୍ତାକାଲି ପରିସ୍ଥିତି ଆହୁରି ଅଣାୟତ୍ତ ହେବ ବୋଲି ଅନୁମାନ କରାଯାଉଛି ।
ଅପରପକ୍ଷେ ରାଜ୍ୟରେ ଉପୁଜିଥିବା ଏହି ସ୍ଥିତି ପାଇଁ ସରକାରଙ୍କୁ ଦାୟୀ କରିଛି ଡ୍ରାଇଭର ମହାସଂଘ । ଡ୍ରାଇଭରଙ୍କ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର କୋହଳ ମନୋଭାବ ପୋଷଣ କରୁଛନ୍ତି । ଏଣୁ ସଂଘ ନିଜ ଜିଦରେ ଅଟଳ ରହିବା ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଏପରିକି ଆଗାମୀ ଦିନରେ ଯଦି ସରକାର ସଂଘ ସହ ଆଲୋଚନା ନ କରନ୍ତି ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ସୂଚନାଯୋଗ୍ୟ, ୧୦ ଦଫା ଦାବି ନେଇ ଗତକାଲିଠୁ ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛି । ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ୍, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମାଗାର ଓ ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ । ସେମାନଙ୍କ ଆନ୍ଦୋଳନ ଯୋଗୁଁ ଯାତ୍ରୀବାହୀ ବସ୍ ସମେତ ଅନ୍ୟାନ୍ୟ ଗାଡ଼ି ରାସ୍ତାରେ ଗଡ଼ି ପାରୁ ନ ଥିବାବେଳେ ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।