କୁମାରୀପାରିରେ ବୈଷ୍ଣବ ସମ୍ମିଳନୀ ଅନୁଷ୍ଠିତ

ବେଗୁନିଆପଡା (ବାପୁନି କୁମାର ମାଲୁ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମାରୀପାରିରେ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ବୈଷ୍ଣବ ସମ୍ମିଳନୀ । ଶ୍ରୀଳ ଭକ୍ତି ବେଦାନ୍ତ ବାମନ ଗୋସ୍ୱାମୀ ମହାରାଜଙ୍କ ଦିବ୍ୟ ଆବିର୍ଭାବ ଶତ ବାର୍ଷିକୀ ଅବସରରେ ଆୟୋଜିତ ଏହି ବୈଷ୍ଣବ ସମ୍ମିଳନୀ (ପାରମାର୍ଥିକ ପ୍ରଦର୍ଶନୀ) ମୁଖ୍ୟ ଆୟୋଜକ ପୁରୀ ବୈଷ୍ଣବ ଶ୍ରୀପଦ ଭକ୍ତି ବେଦାନ୍ତ ଗୋଦାବରୀ ମହାରାଜ ଏଵଂ କୁମାରୀପାରି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ପୁରୀ, ବୃନ୍ଦାବନ ଓ ନବଦ୍ବୀପ ତଥା ବିଦେଶରୁ ପ୍ରାୟ ୧୩୦ରୁ ଉର୍ଦ୍ଧ୍ବ ବୈଷ୍ଣବ ଯୋଗଦେଇ ଭକ୍ତମାନଙ୍କୁ ଧର୍ମବାଣୀ, ପ୍ରବଚନ ମାଧ୍ୟମରେ ଭଗବାନଙ୍କ ଶରଣାଗତ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ହଜାର ହଜାର ଭକ୍ତଙ୍କ ଗହଣରେ କୁମାରୀପାରି ସମ୍ପୂର୍ଣ୍ଣ ଉତ୍ସବ ମୁଖର ହୋଇ ଉଠିଥିଲା ।
ଉଦଯାପନୀ ଦିବସରେ କୋଦଳାର ପୂର୍ବତନ ନଗରପାଳ ହର ପ୍ରସାଦ ସାହୁ ଏଵଂ ତାଙ୍କ ଧର୍ମପତ୍ନୀ ସୁନୀତା ପ୍ରଭା ସାହୁ ସପରିବାରେ ଉପସ୍ଥିତ ରହି ବୈଷ୍ଣବମାନଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବା ସହ ଆଗାମୀ ଦିନରେ ଏହିଭଳି ଧାର୍ମିକ କାର୍ଯ୍ୟ ଜାରୀ ରଖିବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ଶ୍ରୀ ସାହୁ କୋଦଳାରୁ ନିଜ ସମର୍ଥକଙ୍କ ସହ ଏକ ବାଇକ ଶୋଭାଯାତ୍ରାରେ ଆସି କୁମାରୀପାରିରେ ପହଞ୍ଚି ପ୍ରଥମେ ଶୈବ ମନ୍ଦିର ପରିଭ୍ରମଣ କରିବା ପରେ ପ୍ରଦର୍ଶନୀରେ ଯୋଗ ଦେଇଥିଲେ । ଧାର୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।