ଆସନ୍ତା ଏପ୍ରିଲ ୩ ତାରିଖରେ ହିନ୍ଦୋଳ ଏନ୍ଏସି ନିର୍ବାଚନ

ହିନ୍ଦୋଳ (ସନାତନ ନାଥ): ହିନ୍ଦୋଳ ଏନ୍ଏନସି ନିର୍ବାଚନ ଯେତିକି ପାଖକୁ ଆସୁଛି ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଉତ୍ସାହ ସେତିକି ବଢିବାରେ ଲାଗିଛି । ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ହିନ୍ଦୋଳ ଏନ୍ଏସି ନିର୍ବାଚନ ହେବାକୁ ଥିବାବେଳେ ଏ ନେଇ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ଅଧ୍ୟକ୍ଷ ପଦ ପାଇଁ ବିଜେଡି ଦଳ ପକ୍ଷରୁ ସହଦେବ ପ୍ରଧାନ, ବିଜେପିରୁ ଶୋଭାଗିନି ପ୍ରଧାନ ଏବଂ କଂଗ୍ରେସ ପକ୍ଷରୁ ରିତା ପଲେଇ ନିଜ ନିଜର ନାମାଙ୍କନ ପତ୍ର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି ।
ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହିତ ବିଭିନ୍ନ ପଟୁଆରରେ ବାଜାବାଣ ରୋଷଣୀ କରି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଜେଡି ପକ୍ଷରୁ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କ ନେତୃତ୍ୱରେ ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସହ ଦଳର ସମସ୍ତ କାର୍ଯ୍ୟକର୍ତ୍ତା, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ଯୋଗ ଦେଇଥିଲେ । ସେହିପରି ବିଜେପି ପକ୍ଷରୁ ପୂର୍ବତନ ବିଧାୟିକା ଅଞ୍ଜଳି ବେହେରା, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଦଳୀୟ ନେତା ପ୍ରତାପ ପ୍ରଧାନ, ଢେଙ୍କାନାଳ ଜିଲ୍ଲା କାର୍ଯ୍ୟକର୍ତ୍ତା କୃଷ୍ଣଚନ୍ଦ୍ର ପାତ୍ର, ବିଭୁତି ଭୂଷଣ ପ୍ରଧାନଙ୍କ ସହ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ । ଅପରପକ୍ଷେ କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ବିଧାୟକ ମହେଶ୍ବର ନାୟକ, ସୁବାସ ପାଳ, ତ୍ରିନାଥ ବେହେରା, ବିପ୍ଳବ ଜେନା, ଛବିରାଜ ବିଶ୍ୱାଳ ପ୍ରମୁଖଙ୍କ ସମେତ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ହିନ୍ଦୋଳ ଏନ୍ଏସିର ୧୬ ଟି ୱାର୍ଡ ପାଇଁ ମୋଟ ୩୧ ଜଣ ଦଳୀୟ ଓ ନିର୍ଦଳୀୟ କାଉନସିଲର ପ୍ରାର୍ଥୀ/ ପ୍ରାର୍ଥୀନି ନିଜ ନିଜର ନାମlଙ୍କନ ପତ୍ର ଦାଖଲ କରିଛନ୍ତି ।