ଓଟ କହୁଛି ମଣିଷକୁ, “ହେ ମଣିଷ ମୋର ଭୁଲ୍ କ’ଣ ?”

ଓଡ଼ାପଡ଼ା (ଗୋପବନ୍ଧୁ ବାରିକ): ହେ ମଣିଷ, କହ କ’ଣ ଭୁଲ କରିଥିଲି ମୁଁ……. କ’ଣ ଦୋଷ ଥିଲା ମୋର । କାହିଁକି ଏମିତି ଏକା କରି ଛାଡି ଦେଲୁ ମୋତେ । ଯେତେବେଳେ ଏ ଶରୀରରେ ବଳ ଥିଲା ତୁ ମୋତେ କେତେ ସଜେଇଛୁ । ଆଉ ସେମିତି ସଜବାଜ ହୋଇ ମୁଁ ତୋ ପାଇଁ କେତେ ପରିଶ୍ରମ କରିଛି । ତୋତେ ରୋଜଗାର ଦେଇଛି । ନିଜେ ପଛେ ଭୋକ ଉପାସରେ ରହିଛି ହେଲେ ତୋ ପେଟକୁ ଦାନା ଯୋଗାଡ଼ କରିଛି । ସଦାବେଳେ ମୋ ପିଠିରେ ତୋ ବୋଝ ବି ବୋହିଛି । ଆଉ ଆଜି ଯେତେବେଳେ ମୁଁ ବୟସର ଅପରାହ୍ନରେ ରୋଗୀଣା ହୋଇପଡିଛି, ତୁ ମୋତେ ଭୁଲି ଗଲୁ କେମିତି । କଣ ଏହି ବୋଝ ବୋହୁଥିବା ଜୀବଟି ଆଜି ତୋ ପାଇଁ ଅଲୋଡା ହୋଇଗଲା ।
ଦର୍ଶକବନ୍ଧୁ, ଟିକେ ନଜର ପକାନ୍ତୁ ଏହି ନିରୀହ ପଶୁ ଉପରେ । ଯେତେବେଳେ ସେ ନିଜର ସାମର୍ଥ୍ୟ ବଳରେ ମାଲିକର ପେଟ ପୋଷୁଥିଲା ସେତେବେଳ ପର୍ଯ୍ୟନ୍ତ ସେ ଗେହ୍ଲା ହୋଇଥିଲା । ଆଉ ଆଜି ରୋଗୀଣା ହୋଇଯିବା ପରେ ସେ ଅଲୋଡା । ତାକୁ ଏଭଳି ଅବସ୍ଥାରେ ଏକାକୀ କରିଦେଇଛି ଜଣେ ସ୍ବାର୍ଥୀ ମାଲିକ । ଓଟଟି ଏବେ ଖାଇବାକୁ ନପାଇ ଏଣେ ତେଣେ ଘୂରି ବୁଲୁଛି । ପ୍ରାୟ ୧୫ ଦିନ ହେବ ଢେଙ୍କାନାଳ ଜିଲ୍ଲା ବଉଳପୁର ଗ୍ରାମରେ ଓଟଟି ଆଶ୍ରୟ ନେଇଛି । ସତେ ଯେମିତି ସ୍ବାର୍ଥପର ଦୁନିଆରେ ତାକୁ ବଞ୍ଚିବା ପାଇଁ ନିଜର କେହି ମିଳିଯାଇଛନ୍ତି ।
ରୋଗୀଣା ଓଟକୁ ଗ୍ରାମବାସୀମାନେ ଉଦ୍ଧାର କରି ଖାଇବାକୁ ଦେଉଛନ୍ତି । ଅପରପକ୍ଷେ ଗାଁରେ ଓଟକୁ ଦେଖି ପିଲାମାନେ ଖୁସିରେ ଗହଳି ଲଗାଉଛନ୍ତି l ଆଉ ଏହି ଗହଳି ଭିତରେ ଓଟଟି ପୁଣି ସଂଘର୍ଷ ପାଇଁ ଲାଗିପଡିଛି । ତେବେ ଓଟଟିର ନାକରେ ଏବଂ ଦେହରେ କ୍ଷତ ଥିବା ଯୋଗୁଁ ଦୁର୍ଗନ୍ଧ ବାହାରୁ ଥିବାରୁ ଛୋଟ ଛୋଟ ପିଲାଙ୍କୁ କିଛି ରୋଗ ସଂକ୍ରମିତ ହେବା ଆଶଙ୍କା ନେଇ ଏବେ ଚିନ୍ତାରେ ଗ୍ରାମବାସୀ ।
ପ୍ରଶାସନ ପକ୍ଷରୁ ଓଟଟିକୁ ଉଦ୍ଧାର କରାଯାଇ ଯଦି ତାର ଚିକିତ୍ସା କରାଯାଏ ତେବେ ଓଟଟି ଶୀଘ୍ର ସୁସ୍ଥ ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି । ଏପଟେ ସରକାର ଜଙ୍ଗଲୀ ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ଆଇନ ପ୍ରଣୟନ କରୁଥିବାବେଳେ ପଶୁମାନଙ୍କ ପ୍ରତି ଏପରି ଅମାନବିକତାକୁ ଆଦୌ ପଶ୍ରୟ ନ ଦେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସହ ଓଟଟିକୁ ଚିକିତ୍ସା କରାଇ ସ୍ଥାନୀୟ ଚିଡିଆଖାନକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟବାସୀ ।
ଏ ଦୃଶ୍ୟକୁ ଦେଖିବା ପରେ ସତରେ ଅନୁଭବ ହେଉଛି ଯେ, ପ୍ରକୃତରେ କ’ଣ ମନୁଷ୍ୟର ମାନବିକତା ହଜିଗଲାଣି । କାରଣ ଜୀବନ ତମାମ ଯେଉଁ ପଶୁ ମାଲିକର ପେଟ ପୋଷୁଥିଲା ଏବଂ ତାକୁ ରୋଜଗାରର ବାଟ ଯୋଗାଇ ଆସୁଥିଲା, ତାର ବାର୍ଦ୍ଧକ୍ୟ ଅବସ୍ଥାରେ ମାଲିକ ତାର ସାଥୀରେ ରହିବା ପରିବର୍ତ୍ତେ ତାକୁ ଏକା କରିଦେଇ ଚାଲିଗଲା । ଆଜି ଯଦି ଇଶ୍ବର ପଶୁଙ୍କୁ ବାକ୍ ଶକ୍ତି ପ୍ରଦାନ କରିଥାଆନ୍ତେ ତେବେ ଏହି ଓଟ ଆଜି ଅନେକ ଅଭିଯୋଗ କରିଥାଆନ୍ତା ।