ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ତଥା ପ୍ରଦର୍ଶନୀ ମେଳା ଉଦଯାପିତ

ଗଜପତି (ବିବେକାନନ୍ଦ ବେହେରା): ଗଜପତିରେ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ତଥା ପଦର୍ଶନୀ ମେଳା ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଅଡିଟୋରିୟମ ହଲରେ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅନ୍ୟତମ ଅତିଥି ଭାବେ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟର ଡକ୍ଟର ଅନିତା ପାତ୍ର, ଶିଳ୍ପ ନିରୀକ୍ଷକ ମନୋଜ ମହାପାତ୍ର, ଜିଲ୍ଲା ଶିଳ୍ପକେନ୍ଦ୍ର ସଂସ୍ଥାର ସାଧାରଣ ପରିଚାଳକ ସୁନା ରାମ ସିଂ ପ୍ରମୁଖ ମଞ୍ଚାସିନ ଥିଲେ ।
ଆଜିର ସମାଜରେ ଯଦି ଜଣେ ଉଦ୍ୟୋଗପତି ହୋଇପାରିବେ ତେବେ ସେ ନିଜର ଜ୍ଞାନ ବଳରେ ଜିଲ୍ଲାର ବିକାଶ କରିବା ସହ ଅନ୍ୟକୁ ରୋଜଗାର ଦେଇପାରିବେ ବୋଲି ଉପସ୍ଥିତ ଅତିଥି ମତପ୍ରକାଶ କରିଥିଲେ । ଏହାଦ୍ବାରା ଜିଲ୍ଲାରୁ ବେକାରୀ ସମସ୍ୟା ଦୂରୀକରଣ ହୋଇ ପାରିବ । ଏହି ଅବସରରେ ଉଦ୍ୟୋଗୀକ ବିଷୟବସ୍ତୁ ଉପରେ ପ୍ରବନ୍ଧ, ବିତର୍କ ଓ ଚିତ୍ର ପ୍ରତିଯୋଗିତା କରାଯାଇଥିଲା । ଏଥିରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ମାନପତ୍ର ପ୍ରଦାନ କରିବା ସହ ଋଣ ପ୍ରଦାନ କରିଥିବା ବ୍ୟାଙ୍କକୁ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗ, କୃଷି ବିଭାଗ, ପ୍ରାଣୀ ସମ୍ପଦ ବିଭାଗଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।