ଲୋକଙ୍କ ହକ୍ ପାଇଁ ଦାବି ଉଠାଇଲା କୋଦଳା ୟୁଥ୍ ଫୋରମ୍ । ଅଘୋଷିତ ବିଦ୍ୟୁତ୍ କାଟ ବିରୋଧରେ ଅଭିଯୋଗ ।

କୋଦଳା(ବାପୁନି କୁମାର ମାଲୁ): ଟାଟା ପାୱାରର ଖାମଖିଆଲ ନୀତି ତଥା ଅଘୋଷିତ ବିଦ୍ୟୁତ୍ କାଟ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଲିଖିତ ଅଭିଯୋଗ କରିଛି କୋଦଳା ୟୁଥ୍ ଫୋରମ୍ । ଗ୍ରୀଷ୍ଣ ନ ଆସୁଣୁ ଅସହ୍ୟ ଗରମ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବାବେଳେ ଅଘୋଷିତ ବିଦ୍ୟୁତ୍ କାଟ ଲୋକଙ୍କୁ କଲବଲ କରୁଛି । ଏ ନେଇ କୋଦଳା ୟୁଥ୍ ଫୋରମ୍ ପକ୍ଷରୁ ଏକ ଟିମ୍ ଟାଟା ପାୱାର କାର୍ଯ୍ୟାଳୟରେ ପହଞ୍ଚି ଆସିଷ୍ଟାଣ୍ଟ ମ୍ୟାନେଜର ଜି କିରଣ କୁମାରଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ବନ୍ଦ କରାଯିବା ସହିତ ଦଣ୍ଡିଶ୍ୱର ମହାଦେବଙ୍କ ବିଶ୍ବଶାନ୍ତି ମହାଯଜ୍ଞ ପୂର୍ବରୁ ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛି କୋଦଳା ୟୁଥ୍ ଫୋରମ୍ ।

ଅପରପକ୍ଷେ ଏବେ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବା ବେଳେ ଆଗକୁ ମାଟ୍ରିକ୍ ପରୀକ୍ଷା ମଧ୍ୟ ରହିଛି । ତେଣୁ ବାରମ୍ବାର ବିଦ୍ୟୁତ କାଟ ହେବା ଫଳରେ ଛାତ୍ରଛାତ୍ରୀମାନେ ପାଠପଢାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ କୋଦଳା ୟୁଥ୍ ଫୋରମ୍ ଏହାର ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ।

କୋଦଳା ଏନ୍ଏସିରେ ଅହେତୁକ ବିଦ୍ୟୁତ କାଟ, ବିପଦ ଶଙ୍କୁଳ ଅବସ୍ଥାରେ ଥିବା ତାର ଓ ଖୁଣ୍ଟ ଆଦି ମରାମତି ହେଉ ନ ଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଏପରିକି ବକେୟା ବିଲ୍ ଆଦାୟ ନାଁରେ ଟାଟା କର୍ମଚାରୀ ଜୋର ଜବରଦସ୍ତ ବିଜୁଳି କାଟ କରିଦେଉଥିବା ଅଭିଯୋଗ କରିଛି ସଂଗଠନ । ଉପଭୋକ୍ତାଙ୍କୁ ବିଲ୍ ଆଳରେ ମାତ୍ରାଧିକ ଶୋଷଣ ହେଉଥିବା ନେଇ ଉପଭୋକ୍ତା ଅଭିଯୋଗ କରୁଥିବାବେଳେ ଏ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ସଂଗଠନ ପକ୍ଷରୁ ଅନୁରୋଧ କରାଯିବା ସହ ଯଥାଶୀଘ୍ର ସମାଧାନ କରାଯିବ ନେଇ ପ୍ରତିଶ୍ରୁତି ଦେଇଛନ୍ତି ଟାଟା କର୍ମଚାରୀ ।