ବେଗୁନିଆପଡାରେ ମନରେଗା ଜନଶୁଣାଣି ଶିବିର ଅନୁଷ୍ଠିତ

ବେଗୁନିଆପଡା (ବାପୁନି କୁମାର ମାଲୁ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକା, ଜଙ୍ଗଲ ଆଦି ବିଭାଗରେ ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ହୋଇଥିବା ମନରେଗା କାର୍ଯ୍ୟର ଜନ ଶୁଣାଣି ହୋଇଥିଲା । ବ୍ଲକରେ ମୋଟ ୨୭ ହଜାର ୧୨୫ ଜବ୍ କାର୍ଡ ପ୍ରଦାନ କରାଯାଇଥିବା ବେଳେ ୧୮୩୧ ଟି ପ୍ରକଳ୍ପରେ ୧୪ ହଜାର ୧୪୬ ଜବ୍ କାର୍ଡଧାରୀ କାମ ପାଇଁ ଆବେଦନ କରିଥିଲେ । ସେଥିମଧ୍ୟରୁ ୧୨ ହଜାର ୬୫୧ କାର୍ଡଧାରୀଙ୍କୁ କାମ ଯୋଗାଇ ଦିଆଯାଇଛି । ଏଥିରେ ୬ ଲକ୍ଷ ୨୦ ହଜାର ୭୪୭ ଶ୍ରମ ଦିବସ ସୃଷ୍ଟି କରାଯାଇ ଥିବାବେଳେ ୫୭୬ ଜଣଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି ।

ଏହାସହ ଲେବର ବାବଦକୁ ୪ କୋଟି ୭୦ ଲକ୍ଷ ୧୨ ହଜାର ୩୪୨ ଟଙ୍କା ପ୍ରଦାନ କରାଯିବା ସହ ମେଟେରିଆଲ ବାବଦକୁ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସାମାଜିକ ସମୀକ୍ଷାରେ ବନ ବିଭାଗ କର୍ମଚାରୀ ଓ ଜିଆରଏସମାନେ ସହଯୋଗ କରୁନଥିବା, କେତେ ଜଣ ଆବାସ ହିତାଧିକାରୀ ପ୍ରଥମ କିସ୍ତି ଟଙ୍କା ପାଇ ଘର କରୁନଥିବା, ବ୍ୟାଙ୍କ ଆଧାର ଆଧାରିତ ପେମେଣ୍ଟ ସିଷ୍ଟମରେ ସହଯୋଗ କରୁନଥିବା, କେତେକ ପଂଚାୟତ କ୍ୟାସ ରେକର୍ଡ ଦେଉନଥିବା ନେଇ ବ୍ଲକ ସାମାଜିକ ସମୀକ୍ଷକ ରାଜେନ୍ଦ୍ର କୁମାର ସାହୁ ଅଭିଯୋଗ କରିଥିଲେ । ଏ ନେଇ ପ୍ରତ୍ୟେକ କାର୍ଯ୍ୟରେ ସାମାଜିକ ସମୀକ୍ଷକଙ୍କୁ ସହଯୋଗ କରିବା ପାଇଁ ବିଡ଼ିଓ ନିର୍ଦେଶ ଦେଇଥିଲେ ।