ପୋଲିସ ଡିଜିଙ୍କ ବିରୋଧରେ ଥାନାରେ ଏଫ୍ଆଇଆର୍ !

କୋଦଳା (ବାପୁନି କୁମାର ମାଲୁ): ଗାନ୍ଧୀମାର୍ଗରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛି ବିଜେପି । ଏ ନେଇ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ସମସ୍ତ ଥାନାରେ ଏଫ୍ଆଇଆର୍ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଓ କୋଦଳା ଥାନାରେ ଥାନା ଅଧିକାରୀଙ୍କୁ ମଧ୍ୟ ଏତଲା ଦେଇଛି ବିଜେପି ।
ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଉଠିଥିବା ବିବାଦ ଏବେ ନୂଆ ମୋଡ ନେଇଛି । ଲୋୟର ପିଏମଜିରେ ବିଜେପିର ଆନ୍ଦୋଳନ ବେଳେ ହୋଇଥିବା ଖଣ୍ଡଯୁଦ୍ଧରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅଭିଯୋଗରେ ବିରୋଧୀ ଦଳ ପକ୍ଷରୁ ଏତଲା ଦିଆଯାଇଥିଲା । ତେବେ ଏହାକୁ ପୁଲିସ ଗ୍ରହଣ କରିନଥିବା ଅଭିଯୋଗରେ ବିଜେପି ପ୍ରତିବାଦ କରିବା ସହିତ ରାଜ୍ୟର ସବୁ ଥାନାରେ ଏତଲା ଦେଇଛି ।
କୋଦଳା ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ମଣ୍ଡଳ ସଭାପତି ତଥା ଏନ୍ଏସି ଓ୍ବାର୍ଡ ସଭ୍ୟ ମଧୂସୁଦନ ଜେନା, ଓ୍ବାର୍ଡ ସଭ୍ୟା ରୀତାଞ୍ଜଳୀ ମିଶ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀ, ଜିଲ୍ଲା ପରିଷଦ ପ୍ରାର୍ଥୀ ସଞ୍ଜୟ କୁମାର ଘୋଷ ପ୍ରମୁଖ ଉପସ୍ଥିତ ରହି ବେଗୁନିଆପଡ଼ା ଓ କୋଦଳା ଥାନାରେ ଏତଲା ଦେଇଛନ୍ତି । ପୁଲିସ ଡିଜି, ପୁଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ବିରୋଧରେ ଦଳ ପକ୍ଷରୁ ଏତଲା ଦିଆଯାଇଛି । ସେହିପରି ଆସନ୍ତା ସମୟରେ ରାଜ୍ୟର ସମସ୍ତ ଏସପି ଅଫିସ ଆଗରେ ବିଜେପି ଯୁବ ମୋର୍ଚ୍ଚା କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଆଉ ଯଦି ଏଫ୍ଆଇଆର୍ ଥାନାରେ ଗ୍ରହଣ କରାନଯାଏ ତେବେ ବିଜେପି କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଛି ।