ଏଥର ଜମିବ ଓଡିଶା ପ୍ରସିଦ୍ଧ ହରିରାଜପୁର ମେଳଣ…

ଜଟଣୀ (ପ୍ରଶାନ୍ତ କୁମାର ସାହୁ): ଆସନ୍ତା ୧୨ ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଡିଶା ପ୍ରସିଦ୍ଧ ହରିରାଜପୁର ମେଳଣ । ଚଳିତ ବର୍ଷ ୧୨ରେ ଜମାଣ ରାତ୍ର ଉତ୍ସବ ଆରମ୍ଭ ହୋଇ ୧୬ରେ ଠାକୁରଙ୍କ ମେଳଣ ଉତ୍ସବ ବା ହରିହର ଭେଟ ଉତ୍ସବ ପୂଜାବିଧି ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଶ୍ଚିମାଶମ୍ଭୁ ସୋମନାଥ ଦେବ ପଞ୍ଚୁଦୋଳ ମେଳଣ ପରିଚାଳନା ପରିଷଦ । ଏହି ଅବସରରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ମେଳଣ ପରିଚାଳନା ପରିଷଦ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସମସ୍ତ ଭକ୍ତ ଶାନ୍ତି ଶୃଙ୍ଖଳାର ସହିତ କିଭଳି ମେଳଣର ମଜା ଉଠେଇବା ଏବଂ ତତ୍ ସହିତ ପ୍ରଭୁ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଦର୍ଶନ କରିପାରିବେ ସେ ନେଇ ବ୍ୟବସ୍ଥା କରାଯାଇଛି ।

ଚଳିତ ବର୍ଷ ଧୁମଧାମର ସହିତ ଯାତ୍ରା ପାଳନ ହେଉଥିବାବେଳେ ଓଡିଶା ଓ ଆଖପାଖ ରାଜ୍ୟରୁ ପ୍ରାୟ ଦଶ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା ରହିଛି । ଏହାକୁ ନଜରରେ ରଖି ପ୍ରଥମ ଥର ପାଇଁ ମେଳଣ ପଡିଆରେ ଘରୋଇ ହସ୍ପିଟାଲ ତରଫରୁ ଦଶ ଜଣିଆ ବରିଷ୍ଠ ଡାକ୍ତରଙ୍କୁ ନେଇ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ଶିବିର ସହ ଜରୁରୀକାଳୀନ ୱାର୍ଡ ପ୍ରସ୍ତୁତ କରାଯାଉଥିବା ପରିଚାଳନା କମିଟି ତରଫରୁ କୁହାଯାଇଛି I ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଥର ମେଳଣ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ୧୫ରେ ଅପରାହ୍ନ ୩ ଟାରୁ ୭ ପର୍ଯ୍ୟନ୍ତ ୫୦୦ ରୁ ଉର୍ଦ୍ଧ୍ବ ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ଏକ ବିରାଟ ହରି ହାଟ କାର୍ଯ୍ୟକ୍ରମ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି I