ମୁକୁଳା ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର…ଭୁଲ୍ କାହାର, ପ୍ରଶାସନର ନା TPCODLର…

ଓଡାପଡା (ଗୋପବନ୍ଧୁ ବାରିକ) : ବିପଦ ବଢାଉଛି ମୁକୁଳା ଟ୍ରାନ୍ସଫର୍ମର । ସବୁ ଜାଣି ଅଜଣା ହେଉଛନ୍ତି ବିଭାଗୀୟ କର୍ତ୍ତୁପକ୍ଷ । ଯଦି ଅକସ୍ମାତ କାହାର ଦୁର୍ଘଟଣା ହୁଏ, ତେବେ ଦାୟୀ କିଏ ରହିବ ? ଏ ହେଉଛି ଓଡାପଡା ବ୍ଲକ ସିମିନଇ ଗାଁର ଭବବାନପୁର ଓ ନୂଆ ସାହିର ଦୃଶ୍ୟ । ଗାଁର ଅନେକ ସ୍ଥାନରେ ମୁକୁଳା ହୋଇ ପଡି ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର । ଟ୍ରାନ୍ସଫର୍ମର ଚତୁଃପାଶ୍ୱର୍ରେ ନା ରହିଛି ତାର ଜାଲି ନା ପାଚେରୀ । ଏପରିକି ଅନେକ ସ୍ଥାନରେ ବିଦ୍ୟୁତ ତାର ମଧ୍ୟ ଝୁଲି ରହିଛି । ଏହି ଅଙ୍ଗନବାଡିର ଦୃଶ୍ୟ ଟିକେ ଦେଖନ୍ତୁ । ଏଠାରେ ମଧ୍ୟ ସମବସ୍ଥା । ଏଠାକୁ ଆସନ୍ତି ଅନେକ କୁନି କୁନି ପିଲା । ତେବେ ଏମାନଙ୍କ ସୁରକ୍ଷାର ଦାୟିତ୍ୱ କାହାର ।

ଏଠି ପ୍ରଶ୍ନ ଉଠୁଛି ଯେ, ଏ ସବୁକୁ ଦେଖି ନ ଦେଖିବାର ଅଭିନୟ କିଏ କରୁଛି, ପ୍ରଶାସନ ନା TPCODL ? ଏ ନେଇ ଆମ ପ୍ରତିନିଧି ଓଡ଼ାପଡ଼ା CDPOଙ୍କ ପ୍ରତିକ୍ରିୟା ନେଇଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଲା ବିଦ୍ୟୁତ୍ ବିଭାଗର SDOଙ୍କୁ ମୁକୁଳା ଟ୍ରାନ୍ସଫର୍ମର ବାବଦରେ କିଛି ଜଣା ନାହିଁ । ଏ କଥା ଆମେ କହୁ ନାହୁଁ, CDPO ମ୍ୟାଡମଙ୍କ ପ୍ରତିକ୍ରିୟା ନେବା ସମୟରେ ସେ ଗଣମାଧ୍ୟମ ଆଗରେ ଏହି ତଥ୍ୟ ପ୍ରକାଶ କରିଛନ୍ତି ।

ଏଠି କଥା ଉଠୁଛି ଯଦି ପ୍ରାୟ ସ୍ଥାନରେ ଏପରି ଟ୍ରାନ୍ସଫରମର ମୁକୁଳା ହୋଇ ପଡ଼ିରହିଛି ବିଭାଗୀୟ SDOଙ୍କୁ ଏ ବାବଦରେ ଜଣାପଡିଲା ନାହିଁ କିପରି ? ନା SDO ସବୁ ଜାଣି ନ ଜାଣିବାର ଅଭିନୟ କରି ନିଜ ଉପରୁ ଦୋଷ ଛାଡାଉଛନ୍ତି । ଯଦି ଆଗାମୀ ଦିନରେ କୌଣସି ବୈଦୁତିକ ଦୁର୍ଘଟଣା ଘଟେ ତାହାହେଲେ ଏଥି ପାଇଁ ଦାୟୀ କିଏ ରହିବ ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷେ ପରିସ୍ଥିତିକୁ ଆଗୁଆ ଆକଳନ କରି ସରପଞ୍ଚ ତାଙ୍କ ପକ୍ଷରୁ ଯଥା ସମ୍ଭବ ଆଶୁ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ଦେଖିବାକୁ ବାକି ରହିଲା ଏପରି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଅଙ୍ଗନୱାଡି କେନ୍ଦ୍ର ଏବଂ ଅନ୍ୟସ୍ଥାନମାନଙ୍କ ବାବଦରେ ସରକାର କେବେ ପଦକ୍ଷେପ ଗ୍ରହଣ କରୁଛନ୍ତି । କାରଣ TPCODL ପକ୍ଷରୁ ଯେଉଁ କାର୍ଯ୍ୟ ହେବା ଦରକାର, ତାହା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଏପରିକି ବିଭାଗୀୟ ଅଧିକାରୀଙ୍କ ନିକଟରେ ଏ ବାବଦରେ ତଥ୍ୟ ନାହିଁ ।