ପରୀକ୍ଷା ଦେଉଛନ୍ତି ଯୁକ୍ତ ଦୁଇ ପରୀକ୍ଷାର୍ଥୀ

ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା । କଳାରେ ୨ଲକ୍ଷ ୧୯ହଜାର ୧୧୦ ଏବଂ ବାଣିଜ୍ୟରେ ୨୩,୧୪୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପିଲାଙ୍କ ପାଇଁ ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି ।
ଛାତ୍ରଛାତ୍ରୀ ଦୀର୍ଘ ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପରୀକ୍ଷା ଦେଉଥିଲେ ମଧ୍ୟ ପ୍ରଶ୍ନପତ୍ର ଲିକ୍ ଭୟ ସେମାନଙ୍କୁ ଘାରିଛି । ଗତ ଦୁଇ ଦିନ ହେଲା ୟୁଟ୍ୟୁବ୍ରେ ପ୍ରସାରିତ ଏକ ପ୍ରଶ୍ନପତ୍ରକୁ ନେଇ ପରୀକ୍ଷାର୍ଥୀ ଚିନ୍ତିତ ଥିଲେ । ମାତ୍ର ଆଜି ଶତ ପ୍ରତିଶତ ସିଲାବସ୍ରେ ପରୀକ୍ଷା ଦେଇ ଫେରିବା ପରେ ସମ୍ପୃକ୍ତ ଭିଡିଓଟି ସମ୍ପୂର୍ଣ୍ଣ ଗୁଜବ ବୋଲି ପରୀକ୍ଷାର୍ଥୀ କହିଛନ୍ତି । ଅନ୍ୟପକ୍ଷରେ ୟୁଟ୍ୟୁବ୍ରେ ଘୂରି ବୁଲିଥିବା ପ୍ରଶ୍ନପତ୍ରକୁ ନେଇ ପରିଷଦ ପକ୍ଷରୁ ପରୀକ୍ଷାର୍ଥୀଙ୍କ ଲାଗି ଆଗୁଆ ସତର୍କ ସୂଚନା ଜାରି କରାଯାଇଥିଲା । ଅପରପକ୍ଷେ ଯେଉଁ ବ୍ୟକ୍ତି ପ୍ରଶ୍ନପତ୍ର ଭାଇରାଲ୍ କରିଥିଲେ ସେ ଇତିମଧ୍ୟରେ ତାହାକୁ ଡିଲିଟ୍ କରି ଦେଇଥିବା ଜଣାପଡ଼ିଛି । କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ପରିଚାଳନା କରାଯାଉଛି । ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇଥିବାବେଳେ ସକାଳ ୯ଟାରୁ ପରୀକ୍ଷାର୍ଥୀ କେନ୍ଦ୍ରକୁ ପ୍ରବେଶ କରିଥିଲେ ।