ଜୀବନ ଯୁଦ୍ଧରେ ହାରିଗଲେ ଗଉରା … ପରପାରିରେ ପିଣ୍ଟୁ ନନ୍ଦ

ପରପାରିରେ ପିଣ୍ଟୁ ନନ୍ଦ । ଆଉ ଦେଖିବାକୁ ମିଳିବନି ରାଣ୍ଡି ପୁଅ ଅନନ୍ତାର ଅଭିନେତା ପିଣ୍ଟୁ ନନ୍ଦଙ୍କ ଅଭିନୟ । ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀତମ ଦାସ । ଓଡିଆ ଆଲବମ ହେଉ ବା ଫିଲ୍ମରେ ନିଜର ଅଭିନୟର ଯାଦୁଗିରିରେ ସେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ । ପିଣ୍ଟୁ ନନ୍ଦଙ୍କ ଅଭିନୟ ସବୁବେଳେ ଦର୍ଶକଙ୍କ ମନକୁ ବେଶ ଛୁଇଁଛି । ନିଜର ନିଆରା ଠାଣି ପାଇଁ ଚର୍ଚିତ ପିଣ୍ଟୁ ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ।
ପିଣ୍ଟୁ ନନ୍ଦ ଦୀର୍ଘ ଦିନ ଧରି ଯକୃତ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଭୁବନେଶ୍ୱରରେ ଚିକିତ୍ସା ପରେ ଯକୃତ ପ୍ରତିରୋପଣ ପାଇଁ ତାଙ୍କୁ ନୂଆ ଦିଲ୍ଲୀ ସ୍ଥାନାନ୍ତର କରଯାଇଥିଲା । କିନ୍ତୁ ସେଠାରେ ଡୋନର ନ ମିଳିବାରୁ ତାଙ୍କୁ ହାଇଦ୍ରାବାଦସ୍ଥିତ ଯଶୋଦା ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ମଧ୍ୟ ଡୋନର ନ ମିଳିବାରୁ ତାଙ୍କର ଯକୃତ ପ୍ରତିରୋପଣ ହୋଇ ପାରି ନଥିଲା । ଏହାପରେ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଛି । ତାଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି । ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ନାଁ ହେଉଛି ପିଣ୍ଟୁ ନନ୍ଦ ।
ତାଙ୍କ ବିୟୋଗରେ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ନିଜ ନିଖୁଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ସେ ଛାଡିଯାଇଥିବା ଛାପ ତାଙ୍କୁ ଦର୍ଶକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।’
ଏହା ସହ ଛତିଶଗଡ ରାଜ୍ୟପାଳ ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନ ଅତ୍ୟନ୍ତ ମର୍ମାହତ ହେବା ସହିତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ସେ ଲେଖିଛନ୍ତି, ‘ଶ୍ରୀ ନନ୍ଦ ଓଡ଼ିଆ ଆଲବମରୁ ନିଜର ଅଭିନୟ ଜୀବନ ଆରମ୍ଭ କରି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସୁନ୍ଦର ଅଭିନୟ କରିଥିଲେ । ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଓଡ଼ିଶା ଚଳଚ୍ଚିତ୍ର ଜଗତରେ ସୁନାମ ଅର୍ଜନ କରିଥିଲେ । ତାଙ୍କର ଏହିପରି ଅକାଳ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ ଅପୂରଣୀୟ କ୍ଷତି ।’
ଅଭିନେତା ପିଣ୍ଟୁଙ୍କ ଅକାଳ ବିୟୋଗରେ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେ ଲେଖିଛନ୍ତି, ‘ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । କଳା ଜଗତ ପ୍ରତି ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ । ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।’
ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ପିଣ୍ଟୁ ଓଡିଆ ଦୂରଦର୍ଶନ ଜରିଆରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଶ୍ରୀକୃଷ୍ଣ ଏକାଡେମୀରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୯୬ରେ ‘କୋଇଲି’ ଫିଲ୍ମ ଜରିଆରେ ପିଣ୍ଟୁ ଓଲିଉଡରେ ପାଦ ଥାପିଥିଲେ । ୫୦ରୁ ଅଧିକ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି । ଓଡ଼ିଆ ଆଲବମ ‘ଏ ଗଉରା ଆଜିକାଲି କ’ଣ ଖାଉଚୁ’ ଓ ରାଣ୍ଡି ପୁଅ ଅନନ୍ତାରୁ ଲୋକଲୋଚନକୁ ଆସିଥିଲେ ପିଣ୍ଟୁ ।
ଏହାବାଦ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ରଙ୍ଗ୍ ନମ୍ବର, ବାହୁଡିବେ ମୋ ଜଗାବଳିଆ, ଓ ମାଇଁ ଲଭ, ଆଇ ଲଭ ୟୁ, ପ୍ରେମ ରୋଗୀ, ଜୟ ଜଗନ୍ନାଥ, ମା’ ଗୋଜବାୟାଣୀ, ସାଥୀରେ, ରଖିବ ଯଦି ସେ ମାରିବ କିଏ, ରକତେ ଲେଖିଛି ନା, କାଳୀଶଙ୍କର ଭଳି ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ ପିଣ୍ଟୁ ନନ୍ଦ । ୨୦୦୬ର ‘ପ୍ରେମ ଋତୁ ଆସିଲାରେ’ ୨୦୧୧ର ‘ଦୋସ୍ତି’, ୨୦୧୩ର ‘ହାତ ଧରି ଚାଲୁଥା’, ୨୦୧୭ର ‘ରୁମକୁ ଝୁମାନା’, ୨୦୧୭ର ‘କଥା ଦେଲି ମଥା ଛୁଇଁ’ ଓ ୨୦୨୨ର ‘ରଙ୍ଗ ନମ୍ବର’ ଭଳି ଚଳଚିତ୍ରରେ ଅଭିନୟ କରିଥିଲେ ଦିବଙ୍ଗତ ପିଣ୍ଟୁ ନନ୍ଦ । ଏପରିକି ‘ରଙ୍ଗ ନମ୍ବର’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ । ଏଥିସହ ସେ ଓଡ଼ିଆ ଧାରାବାହିକ ‘ଶଙ୍ଖାସିନ୍ଦୁର’ରେ ମଧ୍ୟ ଅଭିନୟ କରିଥିଲେ । ‘ଗୃହଲକ୍ଷ୍ମୀ’ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବେ କାର୍ଯ୍ୟ କରିଥିଲେ ପିଣ୍ଟୁ ନନ୍ଦ ।
ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଫ୍ରିଟୁ ସ୍ପିକ୍ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ।