କୋଟପାଡ ବାଇପାସ ନିର୍ମାଣ ପାଇଁ ପ୍ରଥମ ପ୍ରସ୍ତାବ ଗ୍ରହଣ କରିବାକୁ ଦାବି

କୋଟପାଡ (ସୁନୀଲ ଦାଶ) : କୋଟପାଡରେ ବାଇପାସ ପାଇଁ ରହିଥଲା ତିନୋଟି ପ୍ରସ୍ତାବ । ସେଥିମଧ୍ୟରୁ କୋଟପାଡ ସହର ପାର୍ଶ୍ୱରୁ ଯିବାର ପ୍ରଥମ ପ୍ରସ୍ତାବ କୁହୁଡି ଗାଁରୁ ପ୍ରାରମ୍ଭ ହୋଇ ବାମନ ଦେଇ ନିକଟରେ ସଂଯୋଗ ହୋଇଥାନ୍ତା ଏବଂ ରାସ୍ତାର ଦୀର୍ଘତା ମଧ୍ୟ କମ ହେବା ସହ ସରକାରଙ୍କ ରାସ୍ତା ନିର୍ମାଣ ପାଇଁ ସ୍ୱଳ୍ପ ଅର୍ଥ ବ୍ୟୟବରାଦ ହୋଇଥାନ୍ତା । ଏ ନେଇ ଜନସ୍ୱାର୍ଥକୁ ଧ୍ୟାନରେ ରଖି ଜନସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା, କିନ୍ତୁ ସେହି ପ୍ରସ୍ତାବକୁ ବାଦ ଦେଇ ତୃତୀୟ ପ୍ରସ୍ତାବ ଧରଗୁଡ଼ିରୁ ଆରମ୍ଭ ହୋଇ ମିରିଗୁଡା ନିକଟରେ ସଂଯୋଗ ହେବ ବାଇପାସ ।
ପ୍ରଶାସନିକ ସ୍ତରରେ ଉକ୍ତ ପ୍ରସ୍ତାବକୁ ସରକାରଙ୍କୁ ପଠାଇ ଦିଆଯାଇବାବେଳେ ଏହାର ୨୧ ଦିନ ମଧ୍ୟରେ ସ୍ଥାନୀୟ ତ୍ରିଦଳୀୟ ସଂଘର୍ଷ କମିଟି ଦ୍ୱାରା ଏହାକୁ ବିରୋଧ କରାଯାଇଥିଲା । ତେବେ କାହା ପ୍ରୋରଚନରେ ସରକାର ଜନତା ବିରୋଧୀ ୩ୟ ପ୍ରସ୍ତାବକୁ ଗୃହୀତ କଲେ ତାକୁ ନେଇ ଏବେ ସାଧାରଣ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ବର୍ତ୍ତମାନ ପରିସ୍ଥିତିରେ ବାଇପାସ କାର୍ଯ୍ୟ ଆରମ୍ଭ ପାଇଁ ପ୍ରଶାସନିକ ସ୍ତରରେ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଜାରି ରହିଛି । ଅଞ୍ଚଳରେ ପୂର୍ବରୁ ଦୁଇ ପ୍ରଭାବଶାଳୀ ପୂର୍ବତନ ମନ୍ତ୍ରୀ ଏବଂ ସାଂସଦଙ୍କ ଅବଗତି ସତ୍ୱେ ଜନବିରୋଧୀ ନିଷ୍ପତି ଓ ପ୍ରଶାସନିକ ସ୍ତରରେ ରାଜ୍ୟ ସରକାର ତରଫରୁ ସୁପାରିଶ ହୋଇ ଗୃହୀତ ହୋଇଛି । ଏହାକୁ ତୀବ୍ର ଅସନ୍ତୋଷ ଓ ବିରୋଧ କରି ଜାତୀୟ ରାଜପଥ ସଂଘର୍ଷ ସମିତି ସଭାପତି ମଣି ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ଵରେ ଏକ ଜରୁରୀକାଳୀନ ବୈଠକ ସ୍ଥାନୀୟ ଗୋପବନ୍ଧୁ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଂସଦ ରମେଶ ଚନ୍ଦ୍ର ମାଝି, ବିଧାୟିକା ପଦ୍ମିନୀ ଦିଆନ, ସମ୍ପାଦକ ଗଣେଶ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରତିନିଧି ସୁଶାନ୍ତ ବକ୍ସି, ବିଧାୟକଙ୍କ ପ୍ରତିନିଧି ସୁଧୀର ମହାନ୍ତି, ବରିଷ୍ଠ ଓକିଲ ଜିତେନ୍ଦ୍ର ମହାପାତ୍ର, ଶଙ୍କର ପଣ୍ଡା, ମୁକ୍ତେଶ୍ଵର ନାୟକ, ବରିଷ୍ଠ ବିଜେପି ନେତା ସୁନିଲ ଦାସ, ବରିଷ୍ଠ ସମାଜସେବୀ ଓ ବୁଦ୍ଧିଜୀବୀ ବୃନ୍ଦ ଉପସ୍ଥିତ ଥିଲେ ।
ଯଦି ସରକାରଙ୍କ ପକ୍ଷରୁ ଜନତାଙ୍କ ଏହି ଦାବିକୁ ଗ୍ରହଣ ନକରାଯାଏ ତେବେ ଆଗାମୀ ଦିନରେ ବିଭିନ୍ନ ପ୍ରକାର ପ୍ରତିବାଦ, ଅନଶନ, କୋଟପାଡ ବନ୍ଦ ଭଳି ପନ୍ଥା ଆପଣେଇବା ସହ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛି କମିଟି ।